ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ କରିବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଆଜି ଦଳ ଲୋଗୋ ଓ ସ୍ଲୋଗାନ ଉନ୍ମୋଚନ କରିଛି । ଆଜି ପାର୍ଟି ମୁଖ୍ୟାଳୟରେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ ଜୟରାମ ରମେଶ ଓ କେ.ସି ବେଣୁଗୋପାଳ ଏହି ଯାତ୍ରା ପାଇଁ ଲୋଗୋ ଓ ସ୍ଲୋଗାନ ଉନ୍ମୋଚନ କରିଛନ୍ତି । ବର୍ଷ 2022 ରେ ଦକ୍ଷିଣରୁ ଉତ୍ତର-ଭାରତ ପର୍ଯ୍ୟନ୍ତ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ର ଏହା ହେଉଛି ଦ୍ବିତୀୟ ସଂସ୍କରଣ । ଚଳିତ ଥର ସ୍ଲୋଗାନ ରଖାଯାଇଛି, ‘ନ୍ୟାୟ କା ହକ ମିଲନେ ତକ’ ବା ନ୍ୟାୟର ଅଧିକାର ମିଳିବା ପର୍ଯ୍ୟନ୍ତ ଲଢେଇ ।
କାର୍ଯ୍ୟକ୍ରମ ଅବସରରେ ପାର୍ଟି ମୁଖ୍ୟ ଖଡଗେ ମୋଦି ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ‘‘ଚଳିତମାସ ଜାନୁଆରୀ 14 ତାରିଖରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆମେ ଏହି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି । ଏହି ଯାତ୍ରାର ଉଦ୍ଦେଶ୍ଯ ଦେଶବାସୀଙ୍କୁ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ନ୍ୟାୟ ଓ ଅଧିକାର ଦେବା । ଆମେ ଏସବୁ ପ୍ରସଙ୍ଗ ନେଇ ଲୋକଙ୍କ ନିକଟକୁ ଯିବୁ ।’’
ସେହିପରି ଖଡଗେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ସମସ୍ତ ପ୍ରସଙ୍ଗ ଆମେ ସଂସଦରେ ଉଠାଇବାକୁ ପ୍ରୟାସ କଲୁ । ହେଲେ ସରକାର ଆମକୁ କହିବାର ସୁଯୋଗ ଦେଲା ନାହିଁ । ଆମ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଗଲା । ସଂସଦରୁ 146 ସାଂସଦକୁ ନିଲମ୍ବିତ କରାଗଲା । ଦେଶର ଇତିହାସରେ ଏହା ପ୍ରଥମ । ମଣିପୁର ହିଂସାରେ ଜଳିଲା । ହେଲେ ଏହି ପ୍ରସଙ୍ଗରେ ସରକାର ଆଲୋଚନା କରିବା ପାଇଁ ଭୟ କଲେ । ପ୍ରଧାନମନ୍ତ୍ରୀ ସାରା ଦେଶ ଭ୍ରମଣ କରୁଥିବା ବେଳେ ଥରେ ମାତ୍ର ମଣିପୁର ଗସ୍ତ କଲେ ନାହିଁ ।’’