ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏହାରି ମଧ୍ୟରେ ଇଣ୍ଟିଆ ମେଣ୍ଟରେ ସିଟ୍ ଶେୟାରିଂକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏ ନେଇ କଂଗ୍ରେସ ଖୁବଶୀଘ୍ର ସମସ୍ତ ଦଳ ସହିତ ଆଲୋଚନା କରିବ । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ସମସ୍ତ ଦଳ ସହିତ କଂଗ୍ରେସ ଆଲୋଚନା କରିବ ବୋଲି ସୂଚନା ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ସାଧାରଣ ନିର୍ବାଚନରେ ଗାଦିଚ୍ୟୁତ କରିବା ଲାଗି ଏକାଠି ହୋଇଛନ୍ତି ବିରୋଧୀ ଦଳ ।
ସିଟ ସେୟାରିଂକୁ ନେଇ ଇଣ୍ଡିଆ ମେଣ୍ଟର ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଦାବି ରଖିଛନ୍ତି । ଏହାରି ମଧ୍ୟରେ ଗତ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ବସିଥିବା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ନେଇ ପ୍ରସ୍ତାବ ରଖିଛନ୍ତି । ଏହାପରେ ଖଡ଼ଗେ ପ୍ରତିକ୍ରିୟା ରଖି କହିଥିଲେ ଯେ ଏହି ମହାମେଣ୍ଟର ପ୍ରଥମ ଲକ୍ଷ୍ୟ ହେଉଛି କିପରି ବିଜେପିକୁ ପରାସ୍ତ କରି ଲୋକସଭା ନିର୍ବାଚନରେ ବିଜୟୀ ହେବା ।
ଏହା ବି ପଢନ୍ତୁ- ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡ଼ଗେ ! ବୈଠକରେ ପ୍ରସ୍ତାବ ଦେଲେ ଦିଦି ଓ କେଜ୍ରିଓ୍ବାଲ
'ବଙ୍ଗରେ ଏକାକୀ ନିର୍ବାଚନ ଲଢିବ ଟିଏମସି':-ସିଟ୍ ଶେୟାରିଂକୁ ନେଇ କଂଗ୍ରେସ ସମସ୍ତ ଦଳ ସହିତ ଆଲୋଚନା କରିବା ପୂର୍ବରୁ ସାମ୍ନାକୁ ଆସିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ବୟାନ । ସେ ବଙ୍ଗକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେ କହିଥିଲେ, "ଇଣ୍ଡିଆ ମେଣ୍ଟ ବିଜେପି ବିରୋଧରେ ପୁରା ଦେଶରେ ଲଢିବ । ହେଲେ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ବିଜେପି ବିରୋଧରେ ଲଢେଇ କରିବ । ଟିଏମସି, କଂଗ୍ରେସ ବା ବାମପନ୍ଥୀ ଦଳ ସହିତ ମେଣ୍ଟ ଗଠନ କରିବ ନାହିଁ ।"ଏପରିକି ବଙ୍ଗରେ ବିଜେପି ସହିତ ଏହି ୨ ଦଳର ଭିତିରିଆ ସମ୍ପର୍କ ରହିଛି ବୋଲି ମଧ୍ୟ ମମତା ଅଭିଯୋଗ ଆଣିଥିଲେ ।
ମହାରାଷ୍ଟ୍ରରେ ୨୩ ସିଟ୍ ଦାବି କଲା ଶିବସେନା ଗୋଷ୍ଠୀ:- ବଙ୍ଗ ପରେ ମହାରାଷ୍ଟ୍ରର ଶିବସେନା ଗୋଷ୍ଠୀ ମୁଖିଆ ଉଦ୍ଧବ ଠାକରେ ରାଜ୍ୟରେ ୨୩ଟି ଆସନ ପାଇଁ ଦାବି କରିଥିଲେ । ଶିବସେନା ଉଦ୍ଧବ ଗୋଷ୍ଠୀ ୨୩ଟି ଆସନରୁ ନିର୍ବାଚନ ଲଢିବାକୁ ସେ ଦାବି କରିଥିଲେ । ଏ ନେଇ ଉଦ୍ଧବ କହିଥିଲେ, " କଂଗ୍ରେସ ହେଉଛି ଏକ ରାଷ୍ଟ୍ରୀୟ ଦଳ । ମହାରାଷ୍ଟ୍ରରେ ଶିବସେନା ୨୩ଟି ଆସନରେ ଲଢେଇ କରିଆସୁଛନ୍ତି । କଂଗ୍ରେସ ମହାରାଷ୍ଟ୍ରର କୌଣସି ଆସନରେ ବିଜୟୀ ହୋଇନାହିଁ । ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ ମିଳିମିଶି କାମ କରିବେ ।" ହେଲେ ଉଦ୍ଧବଙ୍କ ଦାବିକୁ ଗ୍ରହଣ କରିନାହିଁ କଂଗ୍ରେସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ