ଓଡିଶା

odisha

ETV Bharat / bharat

Rajasthan poll: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ଗେହେଲଟ-ପାଇଲଟଙ୍କ ସମେତ 33 ପ୍ରାର୍ଥୀ - ଅଶୋକ ଗେହେଲଟ

ରାଜସ୍ଥାନରେ ପ୍ରଥମ ପର୍ଯ୍ୟାୟରେ 33 ପ୍ରାର୍ଥୀ ଦେଲା କଂଗ୍ରେସ । ସ୍ଥାନ ପାଇଲେ ଉଭୟ ଗେହେଲଟ ଓ ପାଇଲଟ । ନଭେମ୍ବର 25ରେ ଭୋଟିଂ । ଆଜି ବିଜେପି ମଧ୍ୟ ଜାରି କରିଛି 2ୟ ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟରେ 33 ପ୍ରାର୍ଥୀ ଦେଲା କଂଗ୍ରେସ, ଗେହେଲଟ ପାଇଲଟ ସାମିଲ
ପ୍ରଥମ ପର୍ଯ୍ୟାୟରେ 33 ପ୍ରାର୍ଥୀ ଦେଲା କଂଗ୍ରେସ, ଗେହେଲଟ ପାଇଲଟ ସାମିଲ

By ETV Bharat Odisha Team

Published : Oct 21, 2023, 4:35 PM IST

ଜୟପୁର:ବିଳମ୍ବ ଓ ଚର୍ଚ୍ଚା ମଧ୍ୟରେ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ତାଙ୍କ ତଥାକଥିତ ଦଳୀୟ ବିରୋଧୀ ସଚିନ ପାଇଲଟଙ୍କୁ ଦଳ ଟିକେଟ ଦେଇଛି । ସର୍ଦ୍ଦାରପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ବେଳେ ସଚିନ ପାଇଲଟଙ୍କୁ ଟୋଙ୍କ ଆସନରୁ ଦଳ ମୈଦାନକୁ ଓହ୍ଲାଇଛି । ଏହି ଦୁଇ ଚର୍ଚ୍ଚିତ ଚେହେରାଙ୍କ ବ୍ୟତୀତ ଦଳ ଏହି ପର୍ଯ୍ୟାୟରେ ବାଚସ୍ପତି, ଦଳର ପ୍ରଦେଶ ଅଧ୍ୟକ୍ଷଙ୍କ ସମେତ ବହୁ ମନ୍ତ୍ରୀଙ୍କୁ ମଧ୍ୟ ଟିକେଟ ଦେଇଛି ।

ଲଛମନଗଡରୁ ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋଟାସାରା ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ବିଧାନସଭା ବାଚସ୍ପତି ସି.ପି ଯୋଶୀ ନାଥୱାରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦଳ ଓସିଆନ ଆସନରୁ ଦିବ୍ୟା ମଦରନା ଓ ହିନ୍ଦୋଲି ଆସନରୁ ମନ୍ତ୍ରୀ ଅଶୋକ ଚନ୍ଦନାଙ୍କୁ ଟିକେଟ ଦେଇଛି । ରାଜ୍ୟ ଶିଶୁ ସଶକ୍ତିକରଣ ମନ୍ତ୍ରୀ ମମତା ଭୁପେଶ ସିକରାଇ-(ଏସସି) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ବିରୋଧୀ ବିଜେପି ଟିକେଟ ଘୋଷଣା ପ୍ରସଙ୍ଗରେ କଂଗ୍ରେସ ଠାରୁ ସାମାନ୍ୟ ଆଗରେ ରହିଛି । 9 ତାରିଖରେ ପ୍ରଥମ ଓ ଆଜି 2ୟ ପର୍ଯ୍ୟାୟରେ ଦଳ 83 ପ୍ରାର୍ଥୀ ଘୋଷଣା କରିଛି । ଆଜି ତାଲିକାରେ ଦଳର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରା ବସୁନ୍ଧରା ରାଜେ ସିନ୍ଧିଆଙ୍କ ନାମ ମଧ୍ୟ ରହିଛି । ବିଳମ୍ବରେ ହେଲେ ସୁଦ୍ଧା ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ 33 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ:- Rajasthan polls: 2ୟ ପର୍ଯ୍ୟାୟରେ 83 ପ୍ରାର୍ଥୀ ଘୋଷଣା କଲା BJP, ଝଲରାପଟନରୁ ଲଢିବେ ବସୁନ୍ଧରା

2018 ବିଧାନସଭା ନିର୍ବାଚନରେ କଂଗ୍ରେସ 99 ଆସନ ଜିତି ସରକାର ଗଠନ କରିଥିଲା । ବିଜେପି ଗତଥର କ୍ଷମତାରେ ଥିବା ସତ୍ତ୍ବେ ମଧ୍ୟ 73 ଆସନ ଜିତି ବିରୋଧୀ ଦଳ ଭୂମିକାକୁ ଆସିବାକୁ ବାଧ୍ୟ ହୋଇଥିଲା । ଚଳିତଥର ମଧ୍ୟ କଂଗ୍ରେସ ଶାସନ ବଜାୟ ରଖିବାକୁ ଦାବି କରୁଥିବା ବେଳେ କ୍ଷମତାକୁ ଫେରିବା ପାଇଁ ବିଜେପି ମଧ୍ୟ କସରତ ଆରମ୍ଭ କରିସାରିଛି । ନଭେମ୍ବର 25 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବା ସହ ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details