ନୂଆଦିଲ୍ଲୀ:ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ଜାରି ରହିଛି । ସାରା ଦେଶରେ ଏହି ମତଦାନ ଜାରି ରହିଥିବାବେଳେ କଂଗ୍ରେସ ନେତାମାନେ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ବର୍ତ୍ତମାନ ଅନ୍ତରୀଣ ହାଇକମାଣ୍ଡ ଥିବା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଛନ୍ତି । ସେହିପରି ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ ବର୍ତ୍ତମାନ କର୍ଣ୍ଣାଟକରେ ଥିବା ଯୋଗୁ ବେଲାରୀରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଆଜି ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟ ସମତେ ବିଭିନ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ସଦସ୍ୟ ନିଜ ପିସିସି କାର୍ଯ୍ୟାଳୟରେ ଭୋଟ ଦେଉଛନ୍ତି (Congress President poll voting)। କିଛି ନେତା ଦିଲ୍ଲୀ ମୁଖ୍ୟାଳୟରେ ମଧ୍ୟ ଭୋଟିଂରେ ସାମିଲ ହୋଇଛନ୍ତି । ଏହି ମତଦାନ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ଶେଷ ହେବାକୁ ଯାଉଛି । ଏହି ନିର୍ବାଚନ ୨୨ ବର୍ଷ ପରେ ହେଉଥିବାବେଳେ ଏଥିରେ ପ୍ରାୟ ୯ ହଜାର କଂଗ୍ରେସ ସଦସ୍ୟ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ୨୨ ବର୍ଷ ପରେ ପୁଣି ଥରେ କଂଗ୍ରେସ ଜଣେ ଅଣଗାନ୍ଧୀ ନେତୃତ୍ବ ପାଇବାକୁ ଯାଉଛି ।
ଏହି ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ଏହି ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ପାଇଁ ଲଢେଇ ଜାରି ରହିଛି । ୧୯୯୮ ରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାବେଳେ, ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ବ ସମ୍ଭାଳିଥିଲେ । ପରେ ପୁଅ ରାହୁଲ ଗାନ୍ଧୀ ୨୦୧୭ ରେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ରାହୁଲଙ୍କ ନେତୃତ୍ବରେ ଦଳ ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ଗାଦି ଛାଡିଥିଲେ ରାହୁଲ । ପୁଣି ଥରେ ମାଆ ସୋନିଆଙ୍କୁ ଏହି ଦାୟିତ୍ବରେ ଅବସ୍ଥାପିତ ହେବାକୁ ପଡିଥିଲା । ତେବେ ସେବେଠାରୁ ଅଦ୍ୟାବଧି ସୋନିଆ ଦଳର ଅନ୍ତରୀଣ ହାଇକମାଣ୍ଡ ଭାବେ ଦାୟିତ୍ବରେ ରହି ଆସିଛନ୍ତି ।