ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ ପାର୍ଟି । ଆସନ୍ତା ୪ ତାରିଖରେ କଂଗ୍ରେସ ହାଇକମାଣ୍ଡ ଡାକିଛନ୍ତି କଂଗ୍ରେସ ଇସ୍ତାହାର କମିଟି ବୈଠକ । ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଇସ୍ତାହାର ପ୍ୟାନେଲ ବୈଠକରେ ଫୋକସରେ ରହିବ ନୁଯୁକ୍ତି, ମହିଳା ସଂରକ୍ଷଣ ଏବଂ ସାମାଜିକ କଲ୍ୟାଣ ପ୍ରସଙ୍ଗ । ଲୋକସଭା ନିର୍ବାଚନ ବୈତରଣୀ ପାରି ହେବାକୁ ଉଭୟ ଯୁବ ଏବଂ ଗରିବ ଶ୍ରେଣୀକୁ ଟାର୍ଗେଟ କରିବ ଗ୍ରାଣ୍ଡ ଓଲ୍ଡ ପାର୍ଟି ।
ଏହା ମଧ୍ୟ ପଢ଼ନ୍ତୁ: କାଶ୍ମୀର ସ୍ଥିତି ନେଇ କାଲି ଉଚ୍ଚସ୍ତରୀୟ ବୈଠକ କରିବେ ଶାହ
କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ୨୦୨୪ ନିର୍ବାଚନ ପାଇଁ ଯୁବ, ମହିଳା, ଗରିବ ଶ୍ରେଣୀକୁ ଫୋକସ କରିବ ଦଳ । ବିଶେଷ କରି ଦୁଇଟି ପ୍ରସଙ୍ଗକୁ କଂଗ୍ରେସ ପ୍ରାଧାନ୍ୟ ଦେବ । ପ୍ରଥମଟି ହେଲା ଜାତି ଭିତ୍ତିକ ଜନଗଣନା ଏବଂ ଦ୍ବିତୀୟଟି ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ । ଏହି ଦୁଇଟି ଯାକ ପ୍ରସଙ୍ଗ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ମାନସ ସନ୍ତାନ ବୋଲି କୁହାଯାଉଛି । ସୋନିଆ ଗାନ୍ଧି ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଥିବା ବେଳେ, ପଛୁଆ ବର୍ଗଙ୍କୁ ଫୋକସ କରୁଛନ୍ତି ରାହୁଲ । ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇସାରିଥିଲେ ମଧ୍ୟ, ୨୦୨୯ ପୂର୍ବରୁ କାର୍ଯ୍ୟକାରୀ ହେବା ସମ୍ଭାବନା କମ । ତେଣୁ କଂଗ୍ରେସ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଚାହୁଁଛି । ଅନ୍ୟପକ୍ଷରେ ଗତ ନଭେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧି ଜାତିଗତ ଜନଗଣନାକୁ ପ୍ରସଙ୍ଗ କରିଥିଲେ ମଧ୍ୟ, ବିଶେଷ ଫଳପ୍ରଦ ହୋଇନଥିଲା । ତଥାପି ୨୦୨୪ରେ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ଆପାତତଃ ସ୍ଥିର କରିଛି ପାର୍ଟି ।
ଏହା ମଧ୍ୟ ପଢ଼ନ୍ତୁ: କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !
କଂଗ୍ରେସ ମେନିଫେଷ୍ଟୋ କମିଚିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦାମ୍ବରମ । କଂଗ୍ରେସ ନେତ୍ରୀ ପ୍ରିୟଙ୍ଗା ଗାନ୍ଧି କମିଟିର ସସସ୍ୟା ଅଛନ୍ତି । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ଇସ୍ତାହାରରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ । ଦଳର କହିବା କଥା, ଅର୍ଥନୀତି ହେଉଛି ଉତ୍ତମ ଶାସନ ଏବଂ ସାମାଜିକ କଲ୍ୟାଣ ନୀତିର ଆଧାର । ଗ୍ରାଉଣ୍ଡ ଜିରୋ ସ୍ଥିତିକୁ ଗୁରୁତ୍ବ ଦେଇ ଡ୍ରାଫ୍ଟ ଚୂଡ଼ାନ୍ତ କରାଯିବ । ଦଳ ଏମିତି ଏକ ଘୋଷଣାନାମା ପ୍ରସ୍ତୁତ କରିବ, ଯାହାକି କେବଳ 2024 ନୁହେଁ, ତାର ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ମଧ୍ଯ କାମ ଦେବ ।