ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ରଦ୍ଦ ହେଲା ଲୋକସଭା ସାଂସଦ ସଦସ୍ୟତା । 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ସୁରଟ ସେସନ କୋର୍ଟ ୨ବର୍ଷର ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ଏହାପରେ ଆଜି ଲୋକସଭା ସଚିବାଳୟରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ନୋଟିସ ଜାରି ହୋଇଛି । ରାହୁଲ କେରଳ ୱାୟନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ରହିଥିଲେ ।
ସୁରତ ସେସନ କୋର୍ଟ ରାୟ ଶୁଣାଇବା ବେଳେ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀଙ୍କୁ କମ ସଜ୍ଜା ଦିଆଯାଉଛି, ତେବେ ଏହା ସମାଜ ପ୍ରତି ଏକ ଭୁଲ ବାର୍ତ୍ତା ଯିବ । କୋର୍ଟ ନିଜ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମଧ୍ୟ ଦୋହରାଇଥିଲେ । ୨୦୧୮ ମସିହାରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯେଉଁଥିରେ ସେ କହିଥିଲେ 'ଚୌକିଦାର ହେଉଛନ୍ତି ଚୋର' । ଏହି ମାମଲାରେ ତାଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ । ରାହୁଲ ଏହି ମାମଲାରେ କ୍ଷମା ପ୍ରାର୍ଥନା କରିଥିଲେ ।
ମାତ୍ର 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟରେ କ୍ଷମା ପ୍ରାର୍ଥନା କରିନଥିଲେ । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୪ବର୍ଷ ତଳେ ଅର୍ଥାତ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ? ଏହାପରେ ସେ ଲଳିତ ମୋଦି, ନୀରବ ମୋଦିଙ୍କୁ ଉଦାହରଣ ସଜାଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଏହା ବିରୋଧରେ ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ କୋର୍ଟଙ୍କ ଦ୍ବାରସ୍ଥ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।