ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଶନିବାର ପ୍ରଚାର କରିବାକୁ ଯାଇଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦନ୍ତା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା କାନ୍ତୀ ଖରାଡି ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ କଂଗ୍ରେସ ପ୍ରାର୍ଥୀଙ୍କ ଗାଡି ଓଲଟି ପଡିଥିବା ବେଳେ ୭ରୁ ୮ଜଣ ଆହତ ହୋଇଛନ୍ତି । ଦନ୍ତାର ବୋର୍ଡିଆଲା ବମଡରା ଅଞ୍ଚଳରେ କିଛି ଲୋକ ତାଙ୍କୁ ଆକ୍ରମଣ କରିବାରୁ ଏଥିରୁ ବର୍ତ୍ତିବା ପାଇଁ ସେ ଏକ ଜଙ୍ଗଲରେ ଲୁଚିଥିଲେ । ଆକ୍ରମଣର ୪ ଘଣ୍ଟା ପରେ କାନ୍ତି ଖରାଡିଙ୍କୁ ପୋଲିସ ଯୋଗାଯୋଗ କରିଥିଲା ।
ଆକ୍ରମଣର ଶିକାର ହେବା ପରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ କାନ୍ତୀ ଖରାଡି । ଦନ୍ତା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଲଡୁ ପରଘି ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । କାନ୍ତୀ ଖରାଡି ଅଭିଯୋଗ କରି କହିଛନ୍ତି ଯେ, ‘‘ ମୁଁ ମୋର ଭୋଟରଙ୍କ ନିକଟକୁ ଯାଉଥିଲି । ବିଜେପି ପ୍ରାର୍ଥୀ ଲଡୁ ପରଘି,ଏଲ କେ ବାରାଦ ଏବଂ ତାଙ୍କ ଭାଇ ଭଦନ ଖଣ୍ଡା ଦ୍ୱାରା ମୋତେ ଆକ୍ରମଣ କରିଥିଲେ । ଆମର ଗାଡି ବାମୋଡାରା ଦେଇ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ରାସ୍ତା ଅବରୋଧ କରିଥିଲେ, ଏହାପରେ ଆମେ ପଛକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ଆସି ଆମକୁ ଆକ୍ରମଣ କରିଥିଲେ ।''