ନୂଆଦିଲ୍ଲୀ/ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା କ୍ରମଶଃ ଯେତିକି ଦୀର୍ଘ ହେବାରେ ଲାଗିଛି, ସେତିକି କଳ୍ପନା ଜଳ୍ପନା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ କିଛି ଘଟଣାକ୍ରମ ପୁରା ପ୍ରସଙ୍ଗର ମୋଡ ବଦଳାଇବା ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ବିଧାୟକ ଦଳ ବୈଠକରେ ସାମିଲ ହୋଇଥିବା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଆଜି ଦିଲ୍ଲୀ ଫେରିଯାଇ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ହେଲେ ଦୁଇ ଦାବିଦାର ନେତା ଡି.କେ ଓ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡାକରା ଆସିଥିଲେ ସୁଦ୍ଧା ଡି.କେ ଦଲ୍ଲୀ ଗସ୍ତ କରିନାହାନ୍ତି । ତାଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ଥିବା କାରଣରୁ ସେ ଦିଲ୍ଲୀ ଗସ୍ତ କରିନଥିବା କହିବା ସହ ମୁଖ୍ୟମନ୍ତ୍ରୀ ଦାବିଦାରି ପ୍ରସଙ୍ଗରେ ସାମାନ୍ୟ ଉଦାସ ନଜର ଆସିଛନ୍ତି ।
ଡି,କେ କହିଛନ୍ତି, "ଆମେ ସମସ୍ତେ ଏକ । ବିଚାର ବିମର୍ଶ ପରେ ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ମୁଁ ସେ ସମ୍ପର୍କରେ କୌଣସି ମତାମତ ଦେବାକୁ ଉଚିତ ମନେ କରୁନାହିଁ । ମୁଁ କୌଣସି ବିଧାୟକଙ୍କର ସମର୍ଥନ ମଧ୍ୟ ଚାହେଁ ନାହିଁ । ସମସ୍ତ 135 ନିର୍ବାଚିତ ବିଧାୟକ ଆମର । ଆମେ ସମସ୍ତେ ଏକ ହୋଇ କମ କରିବୁ । ଆଜି ମୋର ଦିଲ୍ଲୀ ଗସ୍ତ କରିବାର ଥିଲା । ହେଲେ ମୋ ପେଟରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ମୁଁ ଗସ୍ତ କରିପାରିଲିନାହିଁ ।"
ହେଲେ ସିଦ୍ଧରମୈୟା ଦିଲ୍ଲୀରେ ପହଞ୍ଚିବା, ଡି.କେ ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ସିଦ୍ଧରମୈୟାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିପାରେ ଓ ଡି.କେଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।