ନୂଆଦିଲ୍ଲୀ:କଂଗ୍ରେସ ଶାସିତ ରାଜସ୍ଥାନରେ ଜାରି ରହିଥିବା ଦଳୀୟ ଅନ୍ତକନ୍ଦଳ ପୁଣି ସମଗ୍ର ଦେଶର ଚର୍ଚ୍ଚାର କେନ୍ଦ୍ରରେ ରହିଛି । ତାଗିଦ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧରେ ଅଘୋଷିତ ମୋର୍ଚ୍ଚା ଖୋଲିଛନ୍ତି ଦଳର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଗତାକାଲି (ମଙ୍ଗଳବାର) ଭିନ୍ନଢଙ୍ଗରେ ଦୁର୍ନୀତି ଆଳରେ ଦିନିକିଆ ଅନଶନ କରି ପରୋକ୍ଷରେ ନିଜ ଅସନ୍ତୋଷ ଦେଖାଇଥିବା ପାଇଲଟଙ୍କ ବିରୋଧରେ ଦଳ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପରି ସଙ୍କେତ ମିଳୁନାହିଁ ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ବିବାଦକୁ ପ୍ରଶମିତ କରିବାରେ ଦଳ ଗୁରୁତ୍ବରୋପ କରୁଛି । ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ପ୍ୟାଚଅପ କରି ଦଳ ଆଗକୁ ବଢିବାକୁ ଚାହୁଁଛି । ଗତକାଲି ଦଳୀୟ ତାଗିଦ୍ ସତ୍ତ୍ବେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜର ଚର୍ଚ୍ଚିତ ଦିନିକିଆ ଅନଶନ ଶେଷ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ କଂଗ୍ରେସ ପତାକା କିମ୍ବା ଦଳର ଅନ୍ୟ କୌଣସି ଚିହ୍ନ ନଥିଲା ବେଳେ କେବଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ୟାନର ତଳେ ଦିନିକିଆ ଅନଶନ ଶେଷ କରିଥିଲେ ପାଇଲଟ । ଏଥିରେ ପାଇଲଟଙ୍କର କିଛି ସହଯୋଗୀ ଓ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ ।
ସଂଧ୍ୟା ପ୍ରାୟ ସାଢେ 4ଟାରେ ସଚିନଙ୍କ ଅନଶନ ଶେଷ କରି ଗଣମାଧ୍ୟମକୁ ସମ୍ବୋଧିତ କରି ପରୋକ୍ଷ ଭାବେ ଗେହେଲଟଙ୍କ ଉପରେ ବର୍ଷିଥିଲେ । ସିନ୍ଧିଆ ସରକାରରେ ହୋଇଥିବା ଦୁର୍ନୀତି ଅଭିଯୋଗ କିଛି ନୂଆ କଥା ନୁହେଁ ବରଂ ଏହା ସମ୍ପର୍କରେ ରାଜ୍ୟବାସୀ ଅବଗତ । ହେଲେ ବାରମ୍ବାର ଦାବି ପରେ ମଧ୍ୟ ଏହା ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ପାଇଲଟ କହିଥିଲେ ।