ନୂଆଦିଲ୍ଲୀ:ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ ଭାରତର ଜମି ହଡପ କରିଥିବା ଦାବିକୁ ଦୋହରାଇ ରାହୁଲ କହିଛନ୍ତି, ''ମୁଁ ବର୍ଷ ବର୍ଷ ହେଲାଣି କହୁଛି ଯେ ଲଦାଖରେ ଗୋଟିଏ ଇଞ୍ଚ ଜମି ଯାଇନି ବୋଲି ପ୍ରଧାନମନ୍ତ୍ରୀ କହିଥିବା କଥା ମିଛ । ପୁରା ଲଦାଖ ଜାଣିଛି ଚୀନ ଭାରତର ଜମି ହଡ଼ପ କରିଛି । ଚୀନର ମାନଚିତ୍ର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ସେମାନେ(ଚୀନ) ଆମର ଜମି ନେଇ ଯାଇଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀଙ୍କୁ କିଛି କହିବା ଉଚିତ୍ ।''
ଚୀନର ମାନଚିତ୍ର ପ୍ରସଙ୍ଗରେ ରାହୁଲ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହା କହିଛନ୍ତି । ଚୀନ ଗତ ସୋମବାର ଦିନ ନିଜ ମାନଚିତ୍ରର ନୂଆ ସଂସ୍କରଣ ଜାରି କରିଛି । ଏଥିରେ ଭାରତର ଅରୁଣାଚଳ ପ୍ରଦେଶ, ଅକ୍ସାଇ ଚିନ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜର ଅଞ୍ଚଳ ଭାବେ ଦର୍ଶାଇଛି । ଅରୁଣାଚଳକୁ ଦକ୍ଷିଣ ତିବ୍ଦତ ଭାବେ ଦର୍ଶାଯାଇଛି । ଚୀନର ଏହି ଦାବିକୁ ଭାରତ ପକ୍ଷରୁ ପ୍ରତ୍ୟାଖାନ କରାଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ଏସ୍ ଜୟଶଙ୍କର କହିଛନ୍ତି, ଏଭଳି ମ୍ୟାପ୍ ଜାରି କରିବା ପଡୋଶୀ ଦେଶର ପୁରୁଣା ଅଭ୍ୟାସ । ଭାରତର ଅଞ୍ଚଳକୁ ନିଜ ମାନଚିତ୍ରରେ ଦେଖାଇଲେ କିଛି ବଦଳି ଯିବନି । ଆମ ଅଞ୍ଚଳକୁ ନେଇ ସରକାର ସ୍ପଷ୍ଟ ଅଛନ୍ତି । ଅଯଥା ଦାବି କରିବା ଦ୍ବାରା ଅନ୍ୟ ଦେଶର ଅଞ୍ଚଳ ଆପଣଙ୍କର ହୋଇଯିବନି । ତେବେ ପୂର୍ବରୁ ଗତ ଏପ୍ରିଲରେ ଚୀନ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନକୁ ପୁନଃନାମିତ କରିବାକୁ ଚେଷ୍ଟା କରିଥିଲା ।