ଅହମ୍ମଦାବାଦ:ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ଗସ୍ତ କରିଥିବା (Gujarat mission of aap) ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ରାଜ୍ୟରେ କଂଗ୍ରେସର ଅସ୍ତିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି । ଗୁଜୁରାଟରେ କଂଗ୍ରେସ ନିଶ୍ଚିହ୍ନ ହୋଇ ସାରିଥିବା ଦାବି କରିଛନ୍ତି କେଜ୍ରିଓ୍ବାଲ (Kejriwal on Gujarat Congress)। ଚଳିତ ବର୍ଷ ଶେଷଭାଗରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମି ପାର୍ଟି ଏଥିରେ ପ୍ରତିଦ୍ବନ୍ଦିତା କରିବାକୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଦଳ ମୁଖ୍ୟ କେଜ୍ରିଓ୍ବାଲ ଗୁଜୁରାଟ ଗସ୍ତରେ ଅଛନ୍ତି । ପୂର୍ବରୁ ମଧ୍ୟ ଆପ କହି ସାରିଛି ଯେ ଏହି ନିର୍ବାଚନରେ ବିଜେପି ଓ ଆପ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି ।
ପଞ୍ଜାବରେ ଥିବା ଆପ ସରକାର ଗୁଜୁରାଟ ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛି । କଂଗ୍ରେସର ଏଭଳି ଅଭିଯୋଗକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆପ୍ ମୁଖ୍ୟ କେଜ୍ରିଓ୍ବାଲ । କଂଗ୍ରେସର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି ଗୁଜୁରାଟରେ କଂଗ୍ରେସ ତାର ଅସ୍ତିତ୍ବ ହରାଇ ସାରିଛି । ତେଣୁ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଆଲୋଚନା ନକରିବାକୁ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ । ଚଳିତ ନିର୍ବାଚନରେ ତାଙ୍କ ଦଳ ଆମ ଆଦମୀ ପାର୍ଟି ହିଁ ବିଜେପିର ବିକଳ୍ପ ଭାବେ ଉଭା ହୋଇଛି ।
ଗୁଜୁରାଟର ବିଭିନ୍ନ ସ୍ଥାନରେ ସଭା କରିବାରେ ଲାଗିଥିବା ଆପ ମୁଖ୍ୟ କେଜ୍ରିଓ୍ବାଲ ଗୁଜୁରାଟବାସୀଙ୍କୁ ନିଜ ଭୋଟ କଂଗ୍ରେସକୁ ଦେଇ ନଷ୍ଟ ନକରିବା ପାଇଁ ନିବେଦନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ ତାଙ୍କ ଦଳ ଆମ ଆଦମୀ ପାର୍ଟି ଏକମାତ୍ର ବିକଳ୍ପ ଭାବେ ସାମ୍ନାକୁ ଆସିଛି । ପଞ୍ଜାବ ବିଧାନସଭା ନିର୍ବାଚନରେ ସମଗ୍ର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରି କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ହାତେଇବାରେ ସଫଳ ହୋଇଥିଲା ଆମ ଆଦମି ପାର୍ଟି । ପଞ୍ଜାବରେ ପ୍ରଚଣ୍ଡ ସଫଳତା ପରେ ଅନ୍ୟ ରାଜ୍ୟରେ ମଧ୍ୟ ସଫଳତାର ସଙ୍କେତ ଛାଡିବା ପାଇଁ ଆପ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏହି କ୍ରମରେ ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ନିର୍ବାଚନରେ ଆପ ତାର ଶକ୍ତି ଓ ଲୋକପ୍ରିୟତା ପ୍ରଦର୍ଶନ କରିବା ପାଇଁ କୌଣସି ଅବସର ଛାଡିନାହିଁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଘନଘନ ଗୁଜୁରାଟ ଗସ୍ତ ଜାରି ରଖିଥିବା ବେଳେ ତାଙ୍କ ସରକାର କ୍ଷମତାକୁ ଆସିଲେ, ଦିଲ୍ଲୀ ଢାଞ୍ଚାରେ ଅନେକ କିଛି ସ୍କିମ କାର୍ଯ୍ୟକାରୀ କରିବା ନେଇ ସେ ଘୋଷଣା କରି ସାରିଛନ୍ତି । ଏସବୁ ମଧ୍ୟରେ ସେ ଆଜି କଂଗ୍ରେସକୁ ଟାର୍ଗେଟ କରିବା ସହ ତାଙ୍କ ଦଳକୁ ବିଜେପିର ବିକଳ୍ପ ଭାବେ ଚିତ୍ରଣ କରିଛନ୍ତି । ପୂର୍ବରୁ 2021ରେ ସୁରଟ ମହାନଗର ନିଗମ ନିର୍ବାଚନରେ (2021 Surat Municipal poll) ପ୍ରତିଦ୍ବନ୍ଦିତା କରି ସାରିଛି ଆମ ଆଦମୀ ପାର୍ଟି । ଏଥିରେ ବିଜେପି 93ଟି ଆସନ ଜିତିବାରେ ସଫଳ ହୋଇଥିବା ବେଳେ ଆମ ଆଦମୀ ପାର୍ଟି 27ଟି ଆସନ ନିଜ ଖାତାକୁ ନେବାରେ ସଫଳ ହୋଇଥିଲା । 2017 ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର 77 ଆସନରେ ଜିତିଥିବା ବେଳେ ବିଜେପି 99 ଆସନ ଜିତି ସରକାର କରିଥିଲା । ଗୁଜୁରାଟ ବିଧାନସଭାରେ ମୋଟ 182 ଆସନ ରହିଛି । ପଞ୍ଜାବରେ ସଫଳତା ପାଇ ଉତ୍ସାହିତ ଥିବା ଆମ ଆଦମୀ ପାର୍ଟି ଚଳିତ ନିର୍ବାଚନରେ ବିଜେପି ସହ ଟକ୍କର ଦେବା ପାଇଁ ଅଣ୍ଚା ଭିଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ