ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନ ପାଇଁ ଆଜି ଦିଲ୍ଲୀରେ କଂଗ୍ରେସ ଏକ ବୈଠକ କରିଛି । ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡେଗ, ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ଅନ୍ୟ କିଛି ପ୍ରଦେଶ କଂଗ୍ରେସ ନେତା ଓ କେନ୍ଦ୍ରୀୟ ନେତୃତ୍ବ ଉପସ୍ଥିତ ରହିଛନ୍ତି । ପାଇଲଟ ଦିଲ୍ଲୀ ଆସିଥିବା ବେଳେ ଗେହେଲଟ ଭିସିରେ ବୈଠକରେ ସାମିଲ ହେଇଥିବା ସୂଚନା ମିଳିଛି ।
ଏହି ବର୍ଷ ଶେଷ ଭାଗରେ କଂଗ୍ରେସ ଶାସିତ ରାଜସ୍ଥାନରେ ନିର୍ବାଚନ ହେବାକୁ ଯାଉଛି । ହେଲେ କଂଗ୍ରେସ ମଧ୍ୟରେ ଦଳୀୟ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି । ତେଣୁ ନିର୍ବାଚନୀ ରଣନୀତି ସହ ଦଳୀୟ ଅନ୍ତଃକନ୍ଦଳ ପ୍ରଶମିତ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଜି ଦିଲ୍ଲୀର ବସିଥିବା ବୈଠକରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡେଗ ସଭାପତିତ୍ବ କରିଥିବା ଦୁଇ ପ୍ରମୁଖ ବିରୋଧୀ ଓ ଯୁବନେତା ସଚିନ ପାଇଲଟ ମଧ୍ୟ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ।
କଂଗ୍ରେସ ଗତ ସାଢେ 4 ବର୍ଷ ହେବ ରାଜସ୍ଥାନରେ ଶାସନରେ ରହିଛି । 2020 ଯୁବନେତା ତଥା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ କ୍ୟାମ୍ପ ବିରୋଧରେ ପ୍ରଥମ ଥର ପାଇଁ ବିଦ୍ରୋହ କରିଥିଲେ । ଫଳସ୍ବରୂପ ତାଙ୍କୁ ଉପମୁଖ୍ଯମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା । ହେଲେ ଏହି ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଥିଲା । ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଇଲଟ ଗୋଷ୍ଠୀ ଏବେ ସିଧାସଳଖ ପାର୍ଟି ଗାଇଡଲାଇନ ଅତିକ୍ରମ କରି ଗେହେଲୋଟ ସରକାରଙ୍କ ବିରୋଧରେ ପଦଯାତ୍ରା ମଧ୍ୟ ଆୟୋଜନ କରିଥିଲା । କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ କଂଗ୍ରେସର ଏହି ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସାମାଧନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।