ଶ୍ରୀନଗର:ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଜମ୍ମୁ-କାଶ୍ମୀରରେ ଆଗକୁ ବଢୁଛି । ତେବେ ଏହି ପଦଯାତ୍ରା ସମୟରେ ଆଜି କାଶ୍ମୀରର ବନିହାଲ ଠାରେ ରାହୁଲଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବନିହାଲ ଅନ୍ତର୍ଗତ କ୍ବାଜିଗୁଣ୍ଡରେ ଭାରତ ଯୋଡ ଯାତ୍ରାରୁ ହଠାତ୍ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି । ଯେଉଁ କାରଣରୁ ଏଠାରେ କଂଗ୍ରେସର ପଦଯାତ୍ରାକୁ ୨୦ ମିନିଟ୍ ବନ୍ଦ କରାଯାଇଥିଲା । ଏହାପରେ ରାହୁଲଙ୍କ ଏକ ବୁଲେଟପ୍ରୁଫ୍ କାରରେ ନିଆଯାଇଥିବା ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି, ଆଜି ଭାରତ ଯୋଡ ଯାତ୍ରା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିଲା । ବନିହଲ ଟନେଲ ପାର ହେବା ପରେ ଆଗକୁ ବହୁସଂଖ୍ୟକ ଜନସାଧାରଣ ଆମକୁ ଭେଟିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଆମ ସହ ଆସୁଥିବା ପୋଲିସ ଟିମ୍ ହଠାତ୍ କୁଆଡେ ଗାଏବ ହୋଇଯାଇଥିଲେ । ଯେଉଁ କାରଣରୁ ପଦଯାତ୍ରା ବନ୍ଦ କରିବାକୁ ପଡିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ବ ହୋଇଥିବା ବେଳେ ପ୍ରଶାସନ ଏହା କରିପାରିଲା ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି ।
ଅନ୍ୟପଟେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିଛି କଂଗ୍ରେସ । ଜମ୍ମୁ କାଶ୍ମୀର ପ୍ରଶାସନ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି କଂଗ୍ରେସର କାଶ୍ମୀର ପ୍ରଭାରୀ ରଜନି ପାଟଲି ଅଭିଯୋଗ କରିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ରାହୁଲ ଓ କଂଗ୍ରେସ କର୍ମୀଙ୍କ ଜୀବନ ସହ ଖେଳ ହୋଇଛି । କାଶ୍ମୀରର ବନିହାଲରେ ଭାରତ ଯୋଡ ଯାତ୍ରାରୁ ହଠାତ୍ ସୁରକ୍ଷା ବ୍ୟବସ୍ଥା ହଠାତ୍ ପ୍ରତ୍ୟାହର କରାଯାଇଥିଲା । କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଆମେ ରାହୁଲଙ୍କୁ ଆଗକୁ ଛାଡି ନଥିଲୁ । ରାହୁଲଙ୍କୁ ବୁଲେଟପ୍ରୁଫ କାର୍ରେ ଆଗକୁ ବଢିବାକୁ କୁହାଯାଇଥିଲା । ତେବେ କାହାର ନିର୍ଦ୍ଦେଶରେ ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ହଠାତ୍ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ସେ ସ୍ଥାନୀୟ ପ୍ରଶାସନକୁ ଏହାର ଜବାବ ମାଗିବା ସହ ଆଗକୁ ଏହିଭଳି ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ ୩୦ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ ଓ ପଞ୍ଜାବ ପରେ ଏହି ଯାତ୍ରା ଏବେ ଜମ୍ମୁ କାଶ୍ମୀରରେ ଜାରି ରହିଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି ।