ଓଡିଶା

odisha

ETV Bharat / bharat

‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ; ସାମିଲ ହେବାକୁ ମନା କରିଥିଲେ ମମତା, ନୀତିଶ, ଅଖିଳେଶ

ଆସନ୍ତାକାଲି ଦିଲ୍ଲୀରେ ବସିବନି ‘ଇଣ୍ଡିଆ’ ମେଣ୍ଟ ବୈଠକ । ସାମିଲ ହେବାକୁ ମନା କରିଥିଲେ ମମତା, ନୀତିଶ ଓ ଅଖିଲେଶ । ସ୍ଥଗିତ ରହିଲା ମେଣ୍ଟ ବୈଠକ । ଚଳିତ ମାସ ତୃତୀୟ ସପ୍ତାହରେ ବସିପାରେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 5, 2023, 4:09 PM IST

ସ୍ଥଗିତ ରହିଲା କାଲିର ‘ଇଣ୍ଡିଆ’ ମେଣ୍ଟ ବୈଠକ, ସାମିଲ ହେବାକୁ ମନା କରିଥିଲେ ଏକାଧିକ ନେତା
ସ୍ଥଗିତ ରହିଲା କାଲିର ‘ଇଣ୍ଡିଆ’ ମେଣ୍ଟ ବୈଠକ, ସାମିଲ ହେବାକୁ ମନା କରିଥିଲେ ଏକାଧିକ ନେତା

ନୂଆଦିଲ୍ଲୀ:କାଲି ଦିଲ୍ଲୀରେ ବସିବାକୁ ଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକ ଶେଷ ପର୍ଯ୍ୟାୟରେ ସ୍ଥଗିତ ରଖାଯାଇଛି । ଏକାଧିକ ବରିଷ୍ଠ ନେତା ସାମିଲ ହେବାକୁ ମନା କରିବା ପରେ କଂଗ୍ରେସ ଆସନ୍ତାକାଲିର ବୈଠକକୁ ସ୍ଥଗିତ ରଖିଥିବା ଜଣାପଡିଛି । ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୈଠକ ହେଉଥିବା ଜାଣିନଥିବା ଦର୍ଶାଇ ସାମିଲ ହେବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଆଜି ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ସାମିଲ ନହେବା ନେଇ ସୂଚନା ଦେଇଥିଲେ । ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସାମିଲ ହେବେ ନାହିଁ ବୋଲି ଜଣାପଡିଥିଲା ।

ଏହି ନେତାମାନେ ସାମିଲ ନହେବା ନେଇ ଭିନ୍ନ ଭିନ୍ନ କାରଣ ଦର୍ଶାଇଥିଲେ । ବୈଠକ ଡାକିଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବୈଠକ ସ୍ଥଗିତ ରଖିଥିବା ଜଣାପଡିଛି । ପରବର୍ତ୍ତୀ ବୈଠକ ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଚଳିତ ମାସ ତୃତୀୟ ସପ୍ତାହରେ ହେବା ନେଇ ସୂତ୍ରରୁ ସୂଚନା ମିଳିଛି । ତେବେ ଏମାନଙ୍କ ବ୍ୟତୀତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଦିଲ୍ଲୀରେ ବୈଠକରେ ସାମିଲ ହେବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ରାଜ୍ୟରେ ଏବେ ବନ୍ୟା ସ୍ଥିତି ଜାରି ରହିଛି । ସେହି କାରଣରୁ ସେ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ତେଣୁ ଏବେ ଏହି ବୈଠକ ସ୍ଥଗିତ ରଖାଯାଇଥିବା କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

3 ତାରିଖରେ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳଫଳରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ସାମ୍ନାକୁ ଆସିଥିଲା । ଏହା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ‘ଇଣ୍ଡିଆ’ ମେଣ୍ଟର ବୈଠକ ଡାକିଥିଲେ । 6 ତାରିଖ (ଆସନ୍ତାକାଲି) ଏହି ବୈଠକ ଦିଲ୍ଲୀରେ ଆୟୋଜିତ ହେବାକୁ ପ୍ରାଥମିକ ଭାବେ ସ୍ଥିର କରାଯାଇଥିଲା । ସହଯୋଗୀ ଦଳର ଏକାଧିକ ବରିଷ୍ଠ ନେତାଙ୍କ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିବା ପରେ ଘୋଷିତ ସୂଚୀର ମାତ୍ର 24 ଘଣ୍ଟା ପୂର୍ବରୁ ଏହି ବୈଠକକୁ କଂଗ୍ରେସ ସ୍ଥଗିତ ରଖିଛି ।

ଏହା ମଧ୍ୟ ପଢନ୍ତୁ :- କାଲି ଇଣ୍ଡିଆ ମେଣ୍ଟ ବୈଠକ: ମମତାଙ୍କ ପରେ ନୀତିଶଙ୍କ ସାମିଲ ନେଇ ସସ୍ପେନ୍ସ, କଂଗ୍ରେସ ଉପରେ ଖପ୍ପା କି ବିହାର ସିଏମ୍ ?

୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି । ଜୁନ୍‌ ୨୩ ରେ ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିଲା । ଜୁଲାଇ ୧୭ ଓ ୧୮ରେ ବେଙ୍ଗାଲୁରୁରେ ଦ୍ବିତୀୟ ବୈଠକ ବସିଥିବା ବେଳେ ମୁମ୍ବାଇରେ ତୃତୀୟ ବୈଠକରେ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିଲା । ଏବେ ସୁଦ୍ଧା ମେଣ୍ଟ ସମନ୍ବୟ କମିଟି ସହ ଅନ୍ୟ କିଛି କମିଟି ଗଠନ ହୋଇଥିଲେ ସୁଦ୍ଧା ମେଣ୍ଟର ଏଜେଣ୍ଡା ଓ ନେତୃତ୍ବ ସ୍ପଷ୍ଟ ହୋଇନି । ଆବାହକ ପଦକୁ ନେଇ ଚର୍ଚ୍ଚା ଲାଗିରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details