ନୂଆଦିଲ୍ଲୀ:22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇଥିବା ଦଳର କେହି ନେତା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗରେ ଦଳ ଅଂଶଗ୍ରହଣ ନକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ଦଳର ବରିଷ୍ଠ ନେତା ତଥା ଯୋଗାଯୋଗ ବ୍ୟାପାର ପ୍ରଭାରୀ ଜୟରାମ ରମେଶଙ୍କ ଦ୍ବାରା ଏକ ବିସ୍ତୃତ ପ୍ରେସରିଲିଜ ମଧ୍ୟ ଜାରି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦଳମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟତମ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।
ଦଳ ଜାରି କରିଥିବା ପ୍ରେସବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ଅଯୋଧ୍ୟାରେ 22ରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେଶର କୋଟି କୋଟି ନାଗରିକ ଶ୍ରୀରାମଙ୍କୁ ପୂଜା କରନ୍ତି । ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ବିଜେପି ଓ ଆରଏସଏସ ଏହାକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି । ରାଜନୈତିକ ଲାଭ ପାଇବା ପାଇଁ ଅସମ୍ପୂର୍ଣ୍ଣ ମନ୍ଦିରକୁ ପ୍ରତିଷ୍ଠା କରାଯାଉଛି । 2019 ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ଓ ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଆରଏସଏସ / ବିଜେପି କାର୍ଯ୍ୟକ୍ରମକୁ ନିମନ୍ତ୍ରଣକୁ କଂଗ୍ରେସ ସମ୍ପୂର୍ଣ୍ଣ ଏବଂ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରୁଛି ।