ନୂଆଦିଲ୍ଲୀ:୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଦଳୀୟ ସମୀକ୍ଷା ବୈଠକ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଆସନ୍ତାକାଲି ଏହି ସଂକ୍ରାନ୍ତରେ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ (CWC) ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହେବେ । ଅପରାହ୍ନ ପ୍ରାୟ ୪ ଟାରେ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି ।
୫ ରାଜ୍ୟରେ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏପରିକି କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିଛି ଦଳ । ତେବେ ଜନାଦେଶକୁ ବିନମ୍ରତାର ସହ ସ୍ବୀକାର କରୁୁଛୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିସାରିଥିଲେ । ଏପରି ସ୍ଥଳେ ଦଳର ଶୋଚନୀୟ ପରାଜୟ ପାଇଁ କାରଣ ଖୋଜା ପର୍ବ ମଧ୍ୟ ଆରମ୍ଭ ହୋଇଛି । ଆସନ୍ତାକାଲି ବୈଠକରେ ଏନେଇ ହାଇକମାଣ୍ଡ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ।