ନୂଆଦିଲ୍ଲୀ:5 ରାଜ୍ୟରେ ବିଧାନସଭା ତାରିଖ ଘୋଷଣା ହୋଇସାରିଥିବା ବେଳେ ଏବେ ବିଭିନ୍ନ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରି ସାରିଛନ୍ତି । ଚଳିତ ନିର୍ବାଚନ ହେବାକୁ ଥିବା ଏକାଧିକ ରାଜ୍ୟରେ ଦୁଇ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଉଭୟ ଦଳ ବିଭିନ୍ନ ରାଜ୍ୟରେ ପ୍ରର୍ଯ୍ୟାୟକ୍ରମିକ ପ୍ରାର୍ଥୀ ମଧ୍ୟ ଘୋଷଣା କରି ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଆଜି(ବୁଧବାର) ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ପାର୍ଟି ହାଇକମାଣ୍ଡ ମଲ୍କିକାର୍ଜୁନ ଖଡଗେ ଅଧ୍ୟକ୍ଷତା କରିବେ ।
ପୂର୍ବାହ୍ନ ପ୍ରାୟ 9 ଟାରେ ଆରମ୍ଭ ହେବାକୁ ଥିବା ବୈଠକରେ ଦଳର ଶାସନରେ ଥିବା ରାଜସ୍ଥାନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ସହ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଅବଶିଷ୍ଟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବା ଉପରେ ଆଲୋଚନା ହେବ । ଏହି ବୈଠକରେ ଦଳର ନେତା ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆଙ୍କ ଗାନ୍ଧୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଳିତ 13 ତାରିଖରେ ଦଳ ମଧ୍ୟ ନିର୍ବାଚନ କମିଟି ବୈଠକ କରିସାରିଛି ।