ଜୟପୁର:ରାଜସ୍ଥାନଶ୍ରୀକରଣପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସର ବାଜିମାତ । ବିଜେପି ପ୍ରାର୍ଥୀ ତଥା ରାଜ୍ୟ କ୍ୟାବିନେଟର ମନ୍ତ୍ରୀ ସୁରେନ୍ଦ୍ର ପାଲ ସିଂ ଟିଟିଙ୍କୁ ପଛରେ ପକାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂ କୁନ୍ନର । କଂଗ୍ରେସ ପ୍ରାର୍ଥୀ ରୁପେନ୍ଦ୍ର ସିଂ କୁନ୍ନର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପାଲ ସିଂ ଟିଟିଙ୍କୁ ପ୍ରାୟ 11 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁରେନ୍ଦ୍ର ପାଲ ସିଂ ବିଜେପି ନବଗଠିତ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ତାଙ୍କୁ ଉପନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ସେ ଇସ୍ତଫା ଦେବା ଏକପ୍ରକାର ନିଶ୍ଚିତ ହୋଇଛି ।
ସ୍ଥାନୀୟ ବିଧାୟକ ତଥା ଚଳିତ ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଗୁରୁମିତ ସିଂ କୁନ୍ନରଙ୍କ ଦେହାନ୍ତ ହେବା ପରେ ଏହି ଆସନରେ ଭୋଟିଂ ସ୍ଥଗିତ ରଖିଥିଲେ ନିର୍ବାଚନ ଆୟୋଗ । ପରବର୍ତ୍ତୀ ସମୟରେ ଉପନିର୍ବାଚନ ଘୋଷଣା ହୋଇଥିଲା । କଂଗ୍ରେସ ଦିବଙ୍ଗତ ବିଧାୟକ ଗୁରୁମିତ ସିଂ କୁନ୍ନରଙ୍କ ପୁଅ ରୁପିନ୍ଦର ସିଂ କୁନ୍ନରଙ୍କୁ ଟିକେଟ୍ ଦେଇ ସିମ୍ପାତି ଭୋଟ ସଂଗ୍ରହ କରିବା ପାଇଁ ପ୍ରୟାସ କରିଥିଲା । ଯାହା ଦଳ ପାଇଁ ଠିକ ନିଷ୍ପତ୍ତି ମଧ୍ୟ ସାବ୍ୟସ୍ତ ହୋଇଛି । ରୁପିନ୍ଦରଙ୍କ ବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଯୁବନେତା ସଚିନ ପାଇଲଟ ଓ କଂଗ୍ରେସର ବହୁ ବରିଷ୍ଠ ନେତା ଟ୍ବିଟ କରି ରୁପିନ୍ଦର ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଶୋକ ଗେହେଲଟ ଏହି ବିଜୟଙ୍କୁ ଦଳର ଦିବଙ୍ଗତ ନେତା ଗୁରମିତ ସିଂ କୁନ୍ନରଙ୍କ ବିଜୟ ଭାବେ ସମର୍ପିତ କରିଛନ୍ତି ।