ଶ୍ରୀନଗର:ଆସନ୍ତା 24 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ଜାମ୍ମୁକାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି(ମଙ୍ଗଳବାର)ଜାମ୍ମୁ କାଶ୍ମୀରର ବିଜେପି ନେତା ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜନେତାମାନଙ୍କ ସହିତ ଏକ ବୈଠକ ବସିବ ।
ସୁତ୍ରରୁ ପ୍ରକାଶ ଯେ, ସମସ୍ତ ବରିଷ୍ଠ ବିଜେପି ନେତାମାନଙ୍କ ମଧ୍ୟରେ ଗୁରୁତ୍ବପୂ୍ର୍ଣ୍ଣ ବୈଠକ ବସିବ । ସର୍ବଦଳୀୟ ବୈଠକରେ କାଶ୍ମୀରର କେଉଁ କେଉଁ ବିଷୟ ଉପସ୍ଥାପନ ହେବ ସେ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ସର୍ବଦଳୀୟ ବୈଠକରେ ଭାଗ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରବିବାର ଦିନ ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଟେଲିଫୋନ୍ ଯୋଗେ ନିମନ୍ତ୍ରଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତାମାନଙ୍କୁ ଟେଲିଫୋନ୍ କଲ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀ ଶୁକ୍ରବାର ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଲେଫ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।