ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଅଭିଯାନ ଆରମ୍ଭ କରିବା ସହ ବିଭିନ୍ନ ପ୍ରତିଶୃତି ମାଧ୍ୟମରେ ବିଭିନ୍ନ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି 4ର୍ଥ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଦଳ ପୂର୍ବରୁ 3ଟି ଗ୍ୟାରେଣ୍ଟି ଘୋଷଣା କରିସାରିଥିବା ବେଳେ ଆଜି ଘୋଷଣା କରିଥିବା 4ର୍ଥ ଗ୍ୟାରେଣ୍ଟିର ଫୋକସରେ ରହିଛନ୍ତି ଯୁବଗୋଷ୍ଠୀ । ରାଜ୍ୟରେ ବେରୋଜଗାର ଯୁବଗୋଷ୍ଠୀଙ୍କ ପାଇଁ ଦଳ ଆଣିବ ‘ଯୁବା ନିଧି’ ଯୋଜନା । ଯାହା ଅନ୍ତର୍ଗତ ବେରୋଜଗାର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ମାସିକ 3 ହଜାର ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ ।
ଆଜି(ସୋମବାର) ଦଳ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ସମେତ ଅନ୍ୟ କିଛି କେନ୍ଦ୍ରୀୟ ଓ ପ୍ରାଦେଶିକ ନେତା ମଧ୍ୟ ଉପସ୍ଥିତ ଥିଲେ । ଦଳ ଘୋଷଣା କରିଛି, ରାଜ୍ୟରେ ସ୍ନାତକ ପାସ୍ କରି ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଯୁବଗୋଷ୍ଠୀଙ୍କ ପାଇଁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ 3 ହଜାର ଓ ଡିପ୍ଲୋମା ପାସ୍ ଯୁବଗୋଷ୍ଠୀଙ୍କୁ 15 ଶହ ଟଙ୍କାର ଭତ୍ତା ମିଳିବ ।
ଏହା ପୂର୍ବରୁ କଂଗ୍ରେସ ଅନ୍ୟ 3ଟି ଗ୍ୟାରେଣ୍ଟି ଘୋଷଣା କରିସାରିଛି । ପ୍ରତି ପରିବାରର ମୁଖ୍ୟଙ୍କୁ ମାସିକ 2 ହଜାର ଟଙ୍କାର ସହୟତା ସହ ପରିବାର ପିଛା ମାସିକ ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଣ ଓ 10 କେଜି ଚାଉଳ ଦେବା ପାଇଁ ଘୋଷଣା କରିସାରିଛି ଦଳ । ଆଜି ଚତୁର୍ଥ ଗ୍ୟାରେଣ୍ଟି ଭାବେ ଯୁବଗୋଷ୍ଠୀଙ୍କୁ ଫୋକସ କରିଛି ଦଳ । ରାଜ୍ୟରେ ଶିକ୍ଷିତ ତଥା ବେକାରୀ ଯୁବଗୋଷ୍ଠୀଙ୍କୁ ଆର୍ଥିକ ପ୍ରତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।