ନୂଆଦିଲ୍ଲୀ:ବିଶ୍ବକୁ ନୂଆ ବିପଦ ମାନବୀୟ ସଙ୍କଟ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ଯୁଦ୍ଧ ଓ ସଂଘର୍ଷ ଜନିତ ମାନବୀୟ ସଙ୍କଟ ବର୍ତ୍ତମାନ ବିସ୍ଥାପନ ତଥା ପଳାୟନ ସଙ୍କଟ ପରି ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି କଲାଣି । ସଂଖ୍ୟା ନିୟନ୍ତ୍ରଣରେ ନାହିଁ ବରଂ ଚିନ୍ତା ବଢାଇବା ପରି । ହିଂସା କାରଣରୁ ବର୍ତ୍ତମାନ ପ୍ରାୟ 100 ମିଲିୟନ ବିଶ୍ବବାସୀ ବିସ୍ଥାପିତ ତଥା ଅନ୍ୟତ୍ର ପଳାୟନ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ତାଲିକାରେ ମଧ୍ୟପ୍ରାଚ୍ୟ ସଙ୍କଟ, ଆଫଗାନିସ୍ତାନ ଓ ୟୁକ୍ରେନ ଯୁଦ୍ଧ ପରି ସଙ୍କଟ ମଧ୍ୟ ସାମିଲ ରହିଛି ।
ଏହି ବିସ୍ଥାପନ ସଂଖ୍ୟା ବର୍ତ୍ତମାନର ବିଶ୍ବ ଜନସଂଖ୍ୟାର 1 ପ୍ରତିଶତ ବୋଲି ସୂଚନା ଦେଇଛି ଜାତିସଂଘ ଶରଣାର୍ଥୀ ପରିଷଦ (UN High Commissioner for Refugees ,UNHCR) । ଅନ୍ୟପଟେ ଷ୍ଟକହୋଲ୍ମ ଇଣ୍ଟରନ୍ୟାସନାଲ ପିସ ଇଣ୍ଟିଚ୍ୟୁଟ (Stockholm International Peace Research Institute ,SIPRI) ଅନୁସାରେ, ବିଶ୍ବ ବର୍ତ୍ତମାନ ଶକ୍ତି ସଙ୍କଟ, ସୁରକ୍ଷା ସଙ୍କଟ ପରି ନୂତନ ତଥା ମାନବୀୟ ସଙ୍କଟର ସାମ୍ନା କରିବାକୁ ଯାଉଛି ।
ଜାତିସଂଘ ରିପୋର୍ଟ (UNHCR Report)
ଜାତିସଂଘ ଶରଣାର୍ଥୀ ରିପୋର୍ଟ (UNHCR)ରେ ଦର୍ଶାଯାଇଛି, ଏହି ସଂଖ୍ୟା ବିଶ୍ବ ଇତିହାସରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି । ଏହା ବର୍ତ୍ତମାନ 100 ମିଲିୟନ ଅତିକ୍ରମ କରିଛି । ଏହି ପଳାୟନ ସଂଖ୍ୟା ବିଶ୍ବର 14ତମ ଲୋକସଂଖ୍ୟା ବହୁଳ ଦେଶ ଇଜିପ୍ଟର ସମୁଦାୟ ଲୋକସଂଖ୍ୟା ସହ ମଧ୍ୟ ସମାନ । ସେହିପରି ଏହି ସଂଖ୍ୟା ନିୟନ୍ତ୍ରଣରେ ରହିବା କିମ୍ବା ହ୍ରାସ ହେବା ପରିବର୍ତ୍ତେ କ୍ରମଶଃ ବଢିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ପଳାୟନ ପ୍ରକ୍ରିୟା ଜାରି ରହିଛି । ଆଗାମୀ ଦିନରେ ଏହା ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି କରିବାକୁ ଯାଉଛି ବୋଲି ଜାତିସଂଘ ଚେତାଇ ଦେଇଛି ।
ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ଯୁଦ୍ଧ ବା ଆଭ୍ୟନ୍ତରୀଣ ସଂଘର୍ଷ ପାଇଁ ଏହି ପଳାୟନ ସଙ୍କଟ ମୁଣ୍ଡ ଟେକିବାରେ ଲାଗିଛି । ଏହି ତାଲିକାରେ ବିଶ୍ବର ଏକାଧିକ ଦେଶ ରହିଛନ୍ତି । ଇଥୋପିଆ, ମିଆଁମାର, ନାଇଜେରିଆ, ଆଫଗାନିସ୍ତାନ,କଙ୍ଗୋ ଆଦି ଦେଶ ଏହି ତାଲିକାରେ ରହିଛି । ଏହି ଦେଶମାଗୁଡିକରେ ପ୍ରାୟ 90 ମିଲିୟନ ନାଗରିକ ବିସ୍ଥାପିତ ହୋଇଛନ୍ତି । ସେହିପରି ଗତ ଦଶନ୍ଧି ଧରି ବିଶ୍ବର ବିଭିନ୍ନ ଭାଗରେ ହିଂସା ଓ ଉତ୍ତେଜନା ବୃଦ୍ଧି ପାଇଛି । ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଓ ବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ଜଳବାୟୂ ପରିବର୍ତ୍ତନ, ସମୁଦ୍ର ପତନ ବୃଦ୍ଧି, ଜଳ ଉପଲବ୍ଧତା ହ୍ରାସ, ପ୍ଲାଷ୍ଟିକ୍ ପ୍ରଦୂଷଣ, ଜଙ୍ଗଲ ହ୍ରାସ ଭଳି ସମସ୍ୟା ମଧ୍ୟ ମାନବୀୟ ସଙ୍କଟ ବଢାଇବାରେ ଲାଗିଥିବା SIPRI ତାର ରିପୋର୍ଟରେ ଦର୍ଶାଇଛି ।
2010 ମସିହାରେ ତଥ୍ୟ ଅନୁସାରେ, ସେତେବେଳେ ହିଂସାରେ ପ୍ରାୟ 30 ଦେଶ ପ୍ରଭାବିତ ଥିବା ବେଳେ 2010 ରୁ 2020 ମଧ୍ୟରେ ଏହି ସଂଖ୍ୟା 56 ଅର୍ଥାତ ଦୁଇଗୁଣକୁ ବୃଦ୍ଧି ପାଇଥିଲା । ସେହିପରି ଏହି ଅନୁପାତରେ ପରିବର୍ତ୍ତନ ଶରଣାର୍ଥୀ ସମସ୍ୟାକୁ ମଧ୍ୟ ଦ୍ବିଗୁଣିତ କରିଥିଲା । 2010 ରେ ଏହି ହିଂସାଜନିତ ପଳାୟନ ବା ବିସ୍ଥାପନ ସଂଖ୍ୟା 41 ମିଲିୟନରେ ଥିବାବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ସଂଖ୍ୟା 82.4 ମିଲିୟନକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା 100 ମିଲୟନ ଅତିକ୍ରମ କରିଥିବା SIPRI ନିଜ ତଥ୍ୟରେ ଦର୍ଶାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ