ନୂଆଦିଲ୍ଲୀ:ଖବର ପ୍ରକାଶନ ଓ ବିଜ୍ଞାପନ ପ୍ରସ୍ତୁତି ସମୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଗଣମାଧ୍ୟମ ସମ୍ବେଦନଶୀଳ ହେବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ବାରା ଆୟୋଜିତ ମହିଳା ବାଇକ ରାଲିକୁ ଭର୍ଚ୍ଚୁଆଲି ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମ କ୍ଷେତ୍ରକୁ ଏହି ବାର୍ତ୍ତା ଦେଇଛନ୍ତି । ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି ।
କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲି ଶୁଭାରମ୍ଭ କରିବା ସହ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି । କହିଥିଲେ "ମହିଳାଙ୍କ ସୁରକ୍ଷା ଦିଗରେ ଆମେ ଆମେ ସମସ୍ତେ ସାମ୍ବିଧାନିକ କର୍ତ୍ତବ୍ୟ ଓ ମୂଲ୍ୟବୋଧକୁ ପାଳନ କରିବା ଆବଶ୍ୟକ । ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । କେବଳ ସମାଜ ନୁହେଁ ପରିବାରସ୍ତରରେ ମଧ୍ୟ ଏହି ଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ପରିବାରରେ ମା’ ଓ ଭଉଣୀମାନେ ପୁଅ ଓ ସାନଭାଇ ପରି ପରିବାରର ଅନ୍ୟ ପୁରୁଷ ସଦସ୍ୟମାନଙ୍କୁ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଦରକାର । ସେହିପରି ସମାଜ ଓ ପରିବାର ବ୍ୟତୀତ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଦିଗରେ କାର୍ଯ୍ୟକ୍ରମ ହାତକୁ ନେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କୁ ସମ୍ମାନ ଦେବା ପାଇଁ ନୈତିକ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏପରି ହୋଇପାରିଲେ ସମାଜର ପ୍ରତ୍ୟେକ ବର୍ଗ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହୋଇପାରିବ ।"