ନୂଆଦିଲ୍ଲୀ:ବେଙ୍ଗାଲୁରୁରେ 26 ବିରୋଧୀ ଦଳ ବିଜେପି ବିରୋଧରେ 2024 ନିର୍ବାଚନ ପାଇଁ ନୂଆ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ 'ଇଣ୍ଡିଆ' (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ରଖାଯାଇଛି । ୟୁପିଏ ବଦଳରେ ଏହି ନାମକରଣ କରାଯାଇଛି । 26 ବିରୋଧୀ ଦଳର ମେଣ୍ଟ ନାମକରଣ ଘୋଷଣା କରିବା ପରେ ରାଜନୀତି ସରଗମର ରହିଛି । ଏହି ନୂଆ ନାମକୁ ନେଇ ଥାନାରେ ମାମଲା ପହଞ୍ଚିଛି । ବିରୋଧୀ ଦଳ ବିରୋଧରେ 'ଭାରତ' ନାମକୁ ଅପବ୍ୟବହାର ଏବଂ ନିର୍ବାଚନ ପ୍ରତୀକ ଅଧିନିୟମ ଉଲ୍ଲଘଂନ ଅଭିଯୋଗ ହୋଇଛି । ନୂଆଦିଲ୍ଲୀର ବାରଖମ୍ବା ରୋଡ ଥାନାରେ ଅବିନାଶ ମିଶ୍ର ନାମକ ଜଣେ ଓକିଲ ମେଣ୍ଟରେ ସାମିଲ 26 ବିରୋଧୀ ଦଳ ନାମରେ ମାମଲା ରୁଜ୍ଜୁ କରିଛନ୍ତି ।
ସେ ଅଭିଯୋଗ କରିଛନ୍ତି,''ପ୍ରତୀକ ଅଧିନିୟମ ଧାରା-3 ଅନୁସାରେ କୌଣସି ବ୍ୟକ୍ତି ବା ସଂଗଠନ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ 'ଇଣ୍ଡିଆ' ନାମକୁ ବ୍ୟବହାର କରିପାରିବେ ନାହିଁ । ବିରୋଧୀ ଦଳ ସେମାନଙ୍କ ମେଣ୍ଟ ନାମ 'ଇଣ୍ଡିଆ' ରଖିବା ଫଳରେ ଅନେକ ଭାରତୀୟଙ୍କ ଭାବାବେଗକୁ ଆଘାତ ଲାଗିଛି । ଆଇନର ଉଲ୍ଲଘଂନ କରିଥିବା ଦଳ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଧାରା-3 ଆଇନ ଉଲ୍ଲଘଂନକାରୀଙ୍କୁ ଜରିମାନା ସହ ଦଣ୍ଡବିଧାନ କରାଯିବାର ପ୍ରାବଧାନ ରହିଛି । ବିରୋଧୀ ଦଳ ସେମାନଙ୍କ ନାମ ଇଣ୍ଡିଆ ରଖି ଆଇନ ଉଲ୍ଲଘଂନ କରିଛନ୍ତି । ତେଣୁ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯାଉ ।''
କିଏ ଦେଇଥିଲେ ନାମ:26 ବିରୋଧୀ ଦଳ ସେମାନଙ୍କ ମେଣ୍ଟ ନାମ 'ଇଣ୍ଡିଆ' ରଖିଛନ୍ତି । ଏହି ନାମ ରଖିଥିବାକୁ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଥିବା କୁହାଯାଉଛି । ମମତା ବାନାର୍ଜୀ ପ୍ରସ୍ତାବ ଦେବା ପରେ ରାହୁଲ ଗାନ୍ଧୀ ଏହାକୁ ସମର୍ଥନ କରିଥିଲେ । ନାମକୁ ଅଧିକ ସମର୍ଥନ ମିଳିବାକୁ ବିରୋଧୀ ଦଳ ଏହି ନାମକୁ ଚୂଡାନ୍ତ କରିଥିଲେ ।