ମୁମ୍ବାଇ: ଦୁଇ ଦିନ ତଳେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ପୁଣି ନିଜ ବୟାନ ପାଇଁ ବିବାଦ ପରିସରକୁ ଆସିଛନ୍ତି । ଆଜି ଆମ୍ ଆଦମୀ ପାର୍ଟି (APP) ପକ୍ଷରୁ ମୁମ୍ବାଇ ପୋଲିସରେ କଙ୍ଗନାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । କଙ୍ଗନା ଦେଇଥିବା ବୟାନକୁ ଦେଶ ବିରୋଧୀ ଦର୍ଶାଇ ଏତଲା ଦାୟର କରିଛନ୍ତି ଆପ ନେତ୍ରୀ ତଥା ଦଳର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ପ୍ରୀତି ଶର୍ମା ମେନନ୍ । ଦେଶ ୧୯୪୭ ରେ ବରଂ ୨୦୧୪ ମସିହାରେ ସ୍ବାଧୀନ ହୋଇଥିଲା ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା । ୧୯୪୭ରେ ଦେଶକୁ ଯାହା ମିଳିଥିଲା, ତାହା ସ୍ବାଧୀନତା ନୁହେଁ ବରଂ କେବଳ ଭିକ୍ଷା ବୋଲି କହିଥିଲେ କଙ୍ଗନା ।
ତେବେ ଆମ ଆଦମୀ ପାର୍ଟି ପକ୍ଷରୁ ଏହାକୁ କଡା ନିନ୍ଦା କରାଯିବା ସହ ଏହା ଏକ ଦେଶଦ୍ରୋହ ମନ୍ତବ୍ୟ ବୋଲି କହି ଟ୍ବିଟ କରିଛନ୍ତି ପ୍ରୀତି । ଅନ୍ୟ ଏକ ଟୁଇଟ୍ରେ ପ୍ରୀତି ମେନନ୍ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (IPC) ଧାରା 504, 505 ଏବଂ 124(A )ଅନୁଯାୟୀ କଙ୍ଗନାଙ୍କ ବିରୋଧର “ଦେଶଦ୍ରୋହୀ ମୂଳକ ବିବୃତ୍ତି” ମାମଲା ଦାୟର କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ଦଳ ଆପ ପକ୍ଷରୁ ସେ ଥାନାରେ ଏତଲା ଦାୟର କରିଛନ୍ତି । ଏବଂ ଆଶା କରୁଛନ୍ତି ମୁମ୍ବାଇ ପୋଲିସ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ସହ କାର୍ଯ୍ୟାନୁଷ୍ଠାନ ଦିଗରେ କାର୍ଯ୍ୟ କରିବ ।