ଲକ୍ଷ୍ନୌ:22 ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଐତିହାସିକ କରିବା ପାଇଁ ପ୍ରସ୍ତୁତି ଶେଷ ସ୍ପର୍ଷ ପାଉଥିବା ବେଳେ ଏବେ ସର୍ବାଧିକ ଆହ୍ବାନ ହେବାକୁ ଯାଉଛି ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପନ୍ଥା ଗ୍ରହଣ କରୁଛନ୍ତି । ପୂର୍ବରୁ ଅଯୋଧ୍ୟାରେ କେବଳ ନିମନ୍ତ୍ରଣ ପତ୍ର ତଦାରଖ କରି ରୁମ ବୁକିଂ କରିବାକୁ ହୋଟେଲ ମାଲିକଙ୍କୁ କୁହାଯାଉଥିଲା ବେଳେ ଏବେ 20 ତାରିଖରୁ 22 ତାରିଖ ମଧ୍ୟରେ ସାଧାରଣ ଲୋକଙ୍କୁ ଅଯୋଧ୍ୟା ଯିବାରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ତିନି ଦିନ କୌଣସି ସାଧାରଣ ତଥା ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପାଇନଥିବା ବ୍ୟକ୍ତି ଅଯୋଧ୍ୟା ଗସ୍ତ କରିବେନାହିଁ । ଏହି ଅବଧି ମଧ୍ୟରେ ଅଯୋଧ୍ୟାକୁ ବସ୍ ଓ ଟ୍ରେନ ବୁକିଂ ମଧ୍ୟ ବନ୍ଦ କରାଯିବାର ବ୍ୟବସ୍ଥା ହେବ ।
ଅଯୋଧ୍ୟାରେ 22 ତାରିଖରେ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଜଜମାନ ହେବାକୁ ଯାଉଛନ୍ତି । ବହୁ ସାଧୁସନ୍ଥ ଓ ରାଜନୈତିକ ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ମାତ୍ର ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଉତ୍ସାହ ଓ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଜାରି କରିଛି ସ୍ଥାନୀୟ ପ୍ରଶାସନ । ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିମନ୍ତ୍ରିତ ଅତିଥିମାନେ ନିମନ୍ତ୍ରଣ କାର୍ଡ ସହ ଅଯୋଧ୍ୟାରେ ପହଞ୍ଚିବେ । ହୋଟେଲ ବୁକିଂ ବେଳେ ଏହି ନିମନ୍ତ୍ରଣ କାର୍ଡ ମଧ୍ୟ ବାଧ୍ୟତାମୂଳକ ହେବ । ସେହିପରି ମନ୍ଦିର ତଥା କାର୍ଯ୍ୟକ୍ଷମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏକାଧିକ ପର୍ଯ୍ୟାୟର ଯାଞ୍ଚ ପ୍ରକ୍ରିୟା ମଧ୍ୟ ରହିବ ।