ଡେରାଡୁନ:ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ପ୍ରକ୍ରିୟା ଆଉ ପାଦେ ଆଗେଇବାକୁ ଯାଉଛି । ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ରାଜ୍ୟ ସରକାର ଗଠନ କରିଥିବା କମିଟି ଡ୍ରାଫ୍ଟ ରିପୋର୍ଟ ଖୁବଶିଘ୍ର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପ୍ରଦାନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହେବ । ଦୀପାବଳି ପରେ ଧାମି ସରକାର ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଆହୁତ କରି ଏହି ବିଲ୍ ପାସ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେବେ ଯଦି ଏହା କରିବାରେ ପୁଷ୍କର ସିଂ ଧାମି ସରକାର ସଫଳ ହୁଏ, ତେବେ ଉତ୍ତରାଖଣ୍ଡ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରିବାରେ ସମଗ୍ର ଦେଶର ପ୍ରଥମ ରାଜ୍ୟ ହେବ ।
ଉତ୍ତରାଖଣ୍ଡର ଧାମି ସରକାର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଗୋସାଇଙ୍କ ନେତୃତ୍ୱରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କିମିଟି ଏହି ନିୟମକୁ ଲାଗୁ କରିବାର ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିଥିଲା । ଦୀର୍ଘ ସମୟ ଧରି ବିଚାରବିମର୍ଶ ଓ ସାଧାରଣ ଲୋକଙ୍କ ଜନମତ ସଂଗ୍ରହ କରିବା ପରେ ଏହି କମିଟି ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ନେଇ ଏକ ଡ୍ରାଫ୍ଟ (ଚିଠା ପ୍ରସ୍ତାବ) ପ୍ରସ୍ତୁତ କରିଛି । ଯାହାକୁ କମିଟି ନିକଟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପ୍ରଦାନ କରିବ । ଏହାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଧ୍ୟାନ କରିବ । ଏହା ପରେ ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବିତ ଡ୍ରାଫ୍ଟକୁ ଅନୁମୋଦନ ଦେବା ପରେ ଏହାକୁ ନେଇ ବିଲ୍ ପ୍ରସ୍ତୁତ ହେବ । ଦୀପାବଳି ପରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନରେ ଏହି ବିଲ୍ ଗୃହରେ ଆଗତ ହୋଇପାରେ ।