ନୂଆଦିଲ୍ଲୀ: ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଆଜି ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର (Commercial LPG cylinder Price slashed) ଦାମ୍ ହ୍ରାସ ପାଇଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ୨୫.୫ ଟଙ୍କା କମିଛି । ଫଳରେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୮୮୫ ଟଙ୍କାରୁ ହ୍ରାସ ପାଇ ୧,୮୫୯ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଜୁନରୁ ଅଦ୍ୟାବିଧି ୬ ଥର କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହ୍ରାସ ହେଲାଣି । କିନ୍ତୁ ଏଥର ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କାରେ ଅପରିବର୍ତ୍ତିତ ରହିଛି ।
ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା' ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଗ୍ୟାସ ଦାମ୍ ବଢିଲେ ସେମାନେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି । ତେବେ ଗତ ସେପ୍ଟେମ୍ବର ୧ରେ ତୈଳ ବିପଣନ କମ୍ପାନୀଗୁଡିକ କର୍ମସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୧ଟଙ୍କା୫୦ ପଇସା ହ୍ରାସ କରିଥିଲେ । ସେହିପରି ଅଗଷ୍ଟ ପହିଲାରେ ଏହା ୩୬ ଟଙ୍କା ଶସ୍ତା ହୋଇଥିଲା ।