ହାଇଦ୍ରାବାଦ: ଆଜିକାଲି ସରକାରୀ ହସ୍ପିଟାଲ ଅପେକ୍ଷା ଘରୋଇ ମେଡିକାଲରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁଥିବା ଲୋକଙ୍କ ମଧ୍ୟରେ ଧାରଣା ରହିଛି । ତେଣୁ ସାମାନ୍ୟ ଅସ୍ତ୍ରୋପଚାରଠୁ ଆରମ୍ଭ କରି ପ୍ରସୂତି ପାଇଁ ସେମାନେ ବିଭିନ୍ନ କ୍ଲିନିକ ଏବଂ ଘରୋଇ ମେଡିକାଲକୁ ଯାଉଛନ୍ତି । ଯେଉଁଠି ସାଧାରଣ ଲୋକଟିଏ ଘରୋଇ ସ୍ବାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଛି, ଏପରିସ୍ଥଳେ ଜଣେ ଜିଲ୍ଲାପାଳ କିନ୍ତୁ ସରକାରୀ ହସ୍ପିଟାଲକୁ ବାଛିଛନ୍ତି ଏବଂ ନିଜ ପତ୍ନୀଙ୍କୁ ସେଠାରେ ଭର୍ତ୍ତି କରାଇଛନ୍ତି ।
ଅନୁଦୀପ ଦୁରିଶେଟ୍ଟୀ ନାମକ ଏହି ଜିଲ୍ଲାପାଳ ତେଲେଙ୍ଗାନାର ଅଟନ୍ତି । ସେ ନିଜ ଗର୍ଭବତୀ ପତ୍ନୀଙ୍କ ଡେଲିଭରି ପାଇଁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯେଉଁଠି ତାଙ୍କ ପତ୍ନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଟି ହରିଷ ରାଓଙ୍କ ଠାରୁ ଆରମ୍ଭ କରି ପରିବହନ ମନ୍ତ୍ରୀଙ୍କ ଯାଏଁ ସମସ୍ତେ ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।