କିଭ୍:ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ଋଷ ବିରୋଧରେ ଲଢିବାକୁ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି ଜଣେ ଭାରତୀୟ ଛାତ୍ର । ଛାତ୍ରଜଣଙ୍କ ପଶ୍ଚିମ ତାମିଲନାଡୁର କୋଏମ୍ବାଟୁର ବାସିନ୍ଦା ୨୧ ବର୍ଷୀୟ ଛାତ୍ର ସାଇ ନିିକେଶ ହୋଇଥିବା ନେଇ ଗୁଇନ୍ଦା ତଥ୍ୟରୁ ଜଣାପଡିଛି । ନିକେଶ ଇଂଜିନିୟରିଂ ଶିକ୍ଷା ପାଇଁ ୟୁକ୍ରେନ ଯାଇଥିବା ବେଳେ ୟୁକ୍ରେନ ସେନାର ଆହ୍ବାନ ପରେ ସେନାରେ ସାମିଲ ହୋଇ ଯୁଦ୍ଧ ଲଢୁଛନ୍ତି ବୋଲି ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ ହୋଇଛି । ତେବେ ସେ 5 ଦିନ ତଳେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ।
ନିକେଶ ଗତମାସ (ଫେବୃଆରୀ) ୧୮ ତାରିଖରେ ସେନାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ତେବେ ପ୍ରଶିକ୍ଷଣ ଶେଷ ହେବା ପରେ ସେ ୟୁକ୍ରେନ ସେନା National Georgion Legion (NGL) ପ୍ୟାହାରେ ଜଣେ ଯବାନ ଭାବେ ସାମିଲ ହୋଇ ଋଷ ବିରୋଧରେ ଲଢୁଥିବା ଜଣାପଡିଛି ।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାର, ଇଞ୍ଜିନିୟରିଂ ପଢିବା ପାଇଁ ୟୁକ୍ରେନ ଯାଇଥିବା ନିକେଶ ପ୍ରଥମରୁ ସେନାରେ ସାମିଲ ହେବା ପାଇଁ ଆଗ୍ରହ ରଖିଥିଲେ । ତେବେ ତାଙ୍କର ଆବଶ୍ୟକ ଉଚ୍ଚତା ନଥିବା କାରଣରୁ ସେ ସେନାରେ ସାମିଲ ହୋଇ ପାରିନଥିଲେ । ପରେ ୟୁକ୍ରେନରେ ଶିକ୍ଷା ଆରମ୍ଭ କରିବା ପରେ ସେଠାରେ ଲାଗିରହିଥିବା ସଙ୍କଟ ମଧ୍ୟରେ ପରିବାର ବର୍ଗ ତାଙ୍କୁ ଭାରତ ଫେରି ଆସିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ସେ ୟୁକ୍ରେନ ଛାଡିନଥିଲେ । ତେବେ ବର୍ତ୍ତମାନ ଏପରି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ଗୁଇନ୍ଦା ସଂସ୍ଥା ମଧ୍ୟ ପରିବାର ସଦସ୍ୟଙ୍କ ଉପରେ ନଜର ରଖିଛି ।