ଚେନ୍ନାଇ:ତାମିଲନାଡୁର ବରିଷ୍ଠ IPS ଅଧିକାରୀ ତଥା କୋଏମ୍ବାଟୁର DIG ବିଜୟ କୁମାରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ନିଜର ସର୍ଭିସ ପିସ୍ତଲରୁ ସେ ନିଜକୁ ଗୁଳି କରିଦେଇଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଆଜି(ଶୁକ୍ରବାର) ସକାଳୁ କୋଏମ୍ବାଟୁର ରେସ୍ କୋର୍ସ ରୋଡରେ ଥିବା କ୍ୟାମ୍ପ ଅଫିସରୁ ଆଇପିଏସ ଅଧିକାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କାହିଁକି ସେ ଆତ୍ମହତ୍ୟା ନିଷ୍ପତ୍ତି ନେଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି ।
ପୋଲିସର ସୂଚନା ମୁତାବକ, ଆଜି(ଶୁକ୍ରବାର) ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ DIG ବିଜୟ କୁମାର ମର୍ଣ୍ଣିଂ ୱାକରୁ ନିଜ ଅଫିସକୁ ଫେରିଥିଲେ । ଏହାପରେ ସେ ସୁରକ୍ଷାକର୍ମୀଙ୍କଠାରୁ ସର୍ଭିସ ପିସ୍ତଲ ମାଗି ନେଇ ରୁମ୍ ଭିତରକୁ ପଶିଥିଲେ । କିଛି ସମୟ ପରେ ଭିତରୁ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ସୁରକ୍ଷାକର୍ମୀ ରୁମ ଭିତରକୁ ଯିବାରୁ ବିଜୟ କୁମାରଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଏହାପରେ ସେ ସଙ୍ଗେସଙ୍ଗେ ଡିଆଇଜିଙ୍କୁ କୋଏମ୍ବାଟୁର ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କର ମୃତଦେହ ହସ୍ପିଟାଲରେ ଅଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି ।