ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନରେ ବିଜେପି ପୁଣି ସ୍ପଷ୍ଟ ବହୁମତ ପାଇ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବିଜେପି ଦମ୍ଭୋକ୍ତି ଦେଖାଉଛନ୍ତି । ମାତ୍ର ଚଳିତ ଥର କେନ୍ଦ୍ରରେ ମେଣ୍ଟ ସରକାର କ୍ଷମତାକୁ ଆସିବା ନେଇ ପୂର୍ବାକଳନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଆଜି ନିଜାମାବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେସିଆର ଏହି ପୂର୍ବାନୁମାନ କରିଛନ୍ତି । ରାଜ୍ୟର ସମସ୍ତ ସଂସଦୀୟ ସିଟରେ ବିଜୟ ଲାଭ କରାଇବା ପାଇଁ ସେ ଲୋକଙ୍କୁ ଅନୁରୋଦ ମଧ୍ୟ କରିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେସିଆର କହିଛନ୍ତି,‘‘ ଆପଣମାନେ ଏକଥା ଧ୍ୟାନରେ ଶୁଣନ୍ତୁ, ଚଳିତ ନିର୍ବାଚନରେ କେନ୍ଦ୍ରରେ କୌଣସି ଏକକ ଦଳକୁ ବହୁମତ ମିଳିବ ନାହିଁ । କୌଣସି ଜାତୀୟ ଦଳ ସରକାର ଗଠନ କରିପାରିବେ ନାହିଁ । ଆଞ୍ଚଳିକ ଦଳମାନେ ହିଁ ନିର୍ଣ୍ଣାୟକ ହେବେ । କେନ୍ଦ୍ରରେ 2024 ନିର୍ବାଚନ ପରେ ଏକ ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ । ଯଦି ଆମେ ରାଜ୍ୟରେ ସମସ୍ତ ସଂସଦୀୟ ଆସନରେ ଆମ ପାର୍ଥୀଙ୍କୁ ବିଜୟୀ କରିପାରିବା, ତେବେ ଆମେ ମଧ୍ୟ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିପାରିବା । ଆଞ୍ଚଳିକ ଦଳମାନଙ୍କ ଏକୀକରଣରେ ସରକାର ଗଠନ ହେବ । ଏକଥା ଆପଣମାନେ ମନେ ରଖିବା ଉଚିତ ।’’
ସେହିପରି ସେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । କଂଗ୍ରେସ ମୁସଲିମଙ୍କ ଭୋଟବ୍ୟାଙ୍କ ହାତେଇବାକୁ ଚାହୁଁଛି । ବାବ୍ରି ମସଜିଦ ଭଙ୍ଗା ଘଟଣାରେ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନିଜ ଶାସନରେ ‘ନଫରତ କି ଦୁକାନ’ ବନ୍ଦ କରିବା କଥା କହିଛି । କନ୍ତୁ ବାବ୍ରି ମସଜିଦ ଭାଙ୍ଗିବା ଘଟଣା ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି ।