ନୂଆଦିଲ୍ଲୀ:କୋଇଲା ଅଭାବରୁ ଦିଲ୍ଲୀରେ ଡାକ୍ତରଖାନା, ମେଟ୍ରୋ ଷ୍ଟେସନ ସହ ବଡ ବଡ ପ୍ରତିଷ୍ଠାନରେ ବିଜୁଳି ଯୋଗାଣରେ ବ୍ୟାହତ ହୋଇପାରେ । ଏନେଇ ଗତକାଲି(ଗୁରବାର) ସତର୍କ କରାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଦାଦ୍ରି-୨ ଏବଂ ଉଞ୍ଚାହାର ପାଓ୍ବାର ଷ୍ଟେସନରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବା କାରଣରୁ ଜରୁରୀକାଳୀନ ପ୍ରତିଷ୍ଠାନ, ଡାକ୍ତରଖାନା, ମେଟ୍ରୋ ଷ୍ଟେସନକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣରେ ସମସ୍ୟା ହୋଇପାରେ । ରାଜଧାନୀକୁ ବିଦ୍ୟୁତ ଯୋଗାଉଥିବା ପାଓ୍ବାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇଦେବା ନିମନ୍ତେ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।
ଜୈନ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀର ୨୫ରୁ ୩୦% ବିଜୁଳି ବିଦ୍ୟୁତ ବିତରଣ କେନ୍ଦ୍ର ଚାହିଦା ମେଣ୍ଟାଉଛି । ଜନସାଧାରଣଙ୍କୁ ଯେପରି ବିଦ୍ୟୁତକାଟର ସମସ୍ୟା ନଉପୁଜେ ସେନେଇ ସରକାର ସବୁ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଅନେକ ଅଞ୍ଚଳରେ ବିଦ୍ୟୁତକାଟକୁ ଏଡାଇବା ପାଇଁ ଏହି କେନ୍ଦ୍ର ସାହାଯ୍ୟ କରିଥାଏ । ଏହାସହ ଗ୍ରୀଷ୍ମ ଋତୁରେ ଦିଲ୍ଲୀ ହସ୍ପିଟାଲ, ମେଟ୍ରୋ ଷ୍ଟେସନକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ଏହି କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।