ଲକ୍ଷ୍ନୌ: ମଥୁରାରେ ମିଳିବନି ମଦ ଓ ମାଂସ । ଏଠାରେ ମଦ ଓ ମାଂସକୁ ବ୍ୟାନ କଲେ ଯୋଗୀ ସରକାର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାର ବୃନ୍ଦାବନ, ଗୋବର୍ଦ୍ଧନ, ନନ୍ଦଗ୍ରାମ, ବରସାନା, ଗୋକୁଳ, ମହାବନ ଏବଂ ବଦଲେବରେ ମଦ ଏବଂ ମାଂସ ବିକ୍ରୟ ଉପରେ କଟକଣା ଲଗାଇଛନ୍ତି ଏବଂ ଏହି ବ୍ୟବସାୟୀଙ୍କୁ ଅନ୍ୟ ବ୍ୟବସାୟରେ ଥଇଥାନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବାର୍ଷିକୀ ଅବସରରେ ଏଭଳି ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ସୋମବାର ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ମଥୁରାରେ ପହଞ୍ଚିଥିଲେ । ଏଥିସହ ମଥୁରାସ୍ଥିତ ରାମଲୀଲା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଯୋଗୀ କହିଛନ୍ତି, ଚାରି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ମସିହାରେ ଏଠାକାର ଲୋକଙ୍କ ଚାହିଦା ଅନୁଯାୟୀ ମଥୁରା ଏବଂ ବୃନ୍ଦାବନ ନଗରପାଳିକାଗୁଡିକୁ ମିଶ୍ରଣ କରି ନଗର ନିଗମ ଗଠନ କରାଯାଇଥିଲା । ଏହାପରେ ଏଠାରେ ଥିବା ସାତଟି ପବିତ୍ର ସ୍ଥାନକୁ ତୀର୍ଥସ୍ଥାନ ଭାବେ ଘୋଷଣା କରାଯାଇଥିଲା । ଏବେ ଜନସାଧାରଣ ଚାହୁଁଛନ୍ତି ଯେ ମଥୁରା ଭଳି ପବିତ୍ର ସ୍ଥାନରେ ମଦ ଓ ମାଂସ ବିକ୍ରୟ ଉପରେ ନିଷେଧାଦେଶ ଲାଗୁ କରାଯାଉ । ତେଣୁ ମୁଁ ଏହା ନିଶ୍ଚିତ କରିବି ବୋଲି ସେ କହିଛନ୍ତି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।