ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଲେ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର 52 ଜଣ ଟିମ ମଧ୍ୟ ଶପଥ ନେଉଛନ୍ତି ।
ଲକ୍ଷ୍ନୌ ଇକାନା ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଖାପାଖି 50 ହଜାରରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଯୋଗୀ ଆଦିତ୍ୟନାଥ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଯୋଗୀଙ୍କ ସମେତ 2 ଜଣ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ 50 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଉଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ, ବିଜେପିର ସମସ୍ତ କେନ୍ଦ୍ରୀୟ ନେତା, ରାଜ୍ୟ ପଦାଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତା ମଧ୍ୟ ଯୋଗ ଦେଇଛନ୍ତି ।
ଏହାସହ ସ୍ବତନ୍ତ୍ର ଅତିଥି ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ସାଧୁ ସନ୍ଥ ଭିନ୍ନ ଭିନ୍ନ ମଠ ମନ୍ଦିରର ମଠାଧୀଶ ମଧ୍ୟ ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବର ସାକ୍ଷୀ ବନିଛନ୍ତି । ଏହାବାଦ ବିଭିନ୍ନ କ୍ଷେତ୍ରରେ ଶିଳ୍ପପତି, ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, କଳାକାର ଓ ସାଧାରଣ ଜନତା ମଧ୍ୟ ଶପଥ ଗ୍ରହଣ ସମାରୋରେ ସାମିଲ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ