ପାଟନା:''ମରିଯିବି ପଛେ ବିଜେପି ସହ ଆଉ ମେଣ୍ଟ କରିବିନି । ମୁଁ ମୃତ୍ୟୁ ସ୍ବୀକାର କରିପାରିବି, ହେଲେ ବିଜେପି ସହ କାମ କରିବା ନୁହେଁ ।'' ବିହାର ରାଜନୀତିରେ ଚାଲିଥିବା ହଟଚମଟ ଭିତରେ ଆଜି ଏପରି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ପାଟନା ସ୍ଥିତ ଗାନ୍ଧୀଘାଟ ଯାଇଥିବା ବେଳେ ଜେଡିୟୁ ନେତା ଗଣମାଧ୍ୟମ ଆଗରେ ଏହି ଘୋଷଣା କରିଛନ୍ତି ।
ନୀତିଶ କୁମାର କହିଛନ୍ତି, ''ଆମେ ବାଜପେୟୀଙ୍କୁ ମାନୁଥିବା ଲୋକ । ଆମେ ବିଜେପିକୁ ଛାଡି ଦେଇଥିଲୁ । ହେଲେ ସେମାନେ ଜବରଦସ୍ତ ପଛରେ ପଡି ଆମ ସାଥିରେ ଆସିଲେ ଆମକୁ ସାଙ୍ଗରେ ଆଣିବାକୁ ଦଳ ଅନେକ ଚେଷ୍ଟା କରିଥିଲା । ଲାଲୁ ଯାଦବଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଆଣିଲା । ଏବେ ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ଅଲଗା ହୋଇଯିବାରୁ ପୁଣିଥରେ ଦୁଇ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । କେମିତି ଜେଡିୟୁ ନେତାଙ୍କୁ ଏପଟ ସେପଟ କରିବ ସେହି ଚକ୍କରରେ ଅଛି । ଏଥିରେ କେବଳ ବିଜେପିର କ୍ଷତି ହେବ, ଆମର ନୁହେଁ । ଥରେ ନିର୍ବାଚନ ହେବାକୁ ଦିଅ, ତା'ପରେ କିଏ କେତେ ଆସନ ଜିତୁଛି ତାହା ଜଣାପଡିଯିବ।"