ଭୁବନେଶ୍ବର: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ନବୀନ ଓଡିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସ୍ପୋର୍ଟସ ଷ୍ଟାର ଏସେସ ପୁରସ୍କାର (2023 Sportstar Aces Awards function) ସମାରୋହରେ ମଧ୍ୟ ସେ ଅଂଶଗ୍ରହଣ କରିବେ ।
ମୁମ୍ବାଇର ହୋଟେଲ ତାଜ ପ୍ୟାଲେସରେ ଆଜି (ସୋମବାର) ଅପରାହ୍ନରେ ଆୟୋଜିତ ହୋଇଥିବା ଓଡିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ କିଛି ନିବେଶକଙ୍କୁ ଏକକ ଭାବରେ ମଧ୍ୟ ଭେଟିଛନ୍ତି । ସେମାନଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଓ ନିବେଶ ସମ୍ପର୍କରେ ଆଲୋଚନା ହୋଇଛି ।
ଓଡିଶାରେ ନିବେଶ କରିବା ଲାଗି ଆହ୍ୱାନ ଦେଇଛନ୍ତି ନବୀନ । ଓଡିଶା ନିବେଶ ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଆଲୋଚନାରେ ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ରିଲାଏନ୍ସ ଗ୍ରୁପ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।