ଶିମଲା: ଚଳିତ ଉପନିର୍ବାନରେ ହିମାଚଳ ପ୍ରଦେଶରେ ବିଜେପିର ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି । ମଣ୍ଡି ଲୋକସଭା ଆସନ ସମେତ ରାଜ୍ୟର ୩ ବିଧାନସଭା ଆସନରେ କଂଗ୍ରେସ ଠାରୁ ଶୋଚନୀୟ ପରାଜିତ ହୋଇଛି ବିଜେପି । ତେବେ ଦଳର ଏପରି ପରାଜୟ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଜୟରାମ କହିଛନ୍ତି ବିଜେପି ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର ପ୍ରୟାସ କରିଛି କିନ୍ତୁ ଦରଦାମ ବୃଦ୍ଧି ପ୍ରସଙ୍ଗ ବିଜେପି ଉପରେ ଭାରି ପଡିଛି । ଯାହା ଚଳିତ ଉପନିର୍ବାଚନରେ ପ୍ରତିଫଳିତ ହୋଇଛି । ଦରଦାମ ବୃଦ୍ଧିକୁ ମୁଦ୍ଦା କରି ପ୍ରତିଦ୍ବନ୍ଦୀ କଂଗ୍ରେସକୁ ଲାଭ ଦେଇଥିବା କହିଛନ୍ତି ଜୟରାମ ।
ସେହିପରି ନିଜ ଦଳ ଓ ପରାଜିତ ପ୍ରାର୍ଥୀଙ୍କୁ ସାନ୍ତ୍ବନା ଦେଇ ଜୟରାମ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଓ ବିଜେପି ମଧ୍ୟରେ ଭୋଟର ବ୍ୟବଧାନ ବହୁତ କମ ରହିଛି । ତେଣୁ କଂଗ୍ରେସ ବିଜୟ ପରେ ଖୁସି ହେବାର କିଛି ବିଶେଷ କାରଣ ନାହିଁ । ମଣ୍ଡି ଲୋକସଭା ନିର୍ବାଚନରେ ଚଳିତ ଥରର ଭୋଟ ବ୍ୟବଧାନ ଇତିହାସର ସବୁଠୁ କମ ବ୍ୟବଧାନ ବୋଲି କହିଛନ୍ତି ଜୟରାମ ।
ମୁଖ୍ୟମନ୍ତ୍ରୀ ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ ଅବଶ୍ୟ ମୁଦ୍ରାସ୍ଫୀତି ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ, କିନ୍ତୁ ହିମାଚଳ ପ୍ରଦେଶ ଉପନିର୍ବାଚନ ଏହା ପ୍ରଭାବଶାଳୀ କାରଣ ଭାବେ ପ୍ରତିଫଳିତ ହୋଇଛି । ସେହିପିର ଫଳାଫଳ ପରେ ଦଳୀୟ ବିଶୃଙ୍ଖଳାକାରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜୟରାମ । ଦଳ ବିରୋଧୀଙ୍କ ଉପରେ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପରାଜୟର କାରଣ ଉପରେ ମଧ୍ୟ ସମୀକ୍ଷା କରାଯିବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ସମସ୍ତ ୪ ସିଟରେ କ୍ଲିନସ୍ବିପ କରିିଥିବା ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟରାମ ।