ହାଇଦ୍ରାବାଦ:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କଂଗ୍ରେସରେ ମିଶିଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ନେତ୍ରୀ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ ବୁଧବାର ରାତିରେ ଦିଲ୍ଲୀ ଗସ୍ତ କରିଥିଲେ ଶର୍ମିଲା । ସେଠାରେ ପହଞ୍ଚିବା ପରେ ସାମ୍ବାଦିକମାନେ ତାଙ୍କୁ କଂଗ୍ରେସରେ ମିଶିବା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ ହଁ ବୋଲି କହିଥିଲେ । ଆଜି କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।
ଶର୍ମିଲା ବୁଧବାର ଦିନ ଇଡୁପୁଲାପାୟା ଗସ୍ତ କରି କଂଗ୍ରେସରେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ । ଓ୍ବାଇ.ଏସ ଶର୍ମିଲା କଂଗ୍ରେସରେ ମିଶିବା ନେଇ କିଛି ଦିନ ହେବ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବାର କିଛି ଦିନ ପରେ ଶର୍ମିଲାଙ୍କ ଏପରି ନିଷ୍ପତ୍ତି ସାମ୍ନାକୁ ଆସିଥିଲା । ଓ୍ବାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ହେଉଛନ୍ତି ଓ୍ବାଇ.ଏସ ଶର୍ମିଲା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସକୁ ସେ ବିପୁଳ ସମର୍ଥନ କରିଥିଲେ । ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ଶର୍ମିଲା କଂଗ୍ରେସରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।