ରାଞ୍ଚି:ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(Jharkhand CM Hemant Soren) ଆଜି ଇଡିରେ ହାଜର ହେବେ । ସାହେବଗଞ୍ଜ ଜିଲ୍ଲା ଖଣି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ପହଞ୍ଚିବେ । ଏହାପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଖଣି ଦୁର୍ନୀତି ମାମଲା(Jharkhand Mining Scam)ରେ ପୂର୍ବରୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିରେ ହାଜର ହେବାକୁ ଥିବାରୁ ଆଜି ରାଜଧାନୀ ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ରାଞ୍ଚିର ହିନୁ ଛକ ଠାରୁ ଏୟାରପୋର୍ଟ ଅଞ୍ଚଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଜେପି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭାରି ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ତେବେ ଇଡିର ଡାକରା ଘଟଣାରେ ସୋରେନ କହିଛନ୍ତି, ‘‘ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାହା ଠିକ୍ ନୁହେଁ । ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଯେଉଁଭଳି ଭାବେ ମୋତେ ସମନ କରାଯାଉଛି ଲାଗୁଛି ଯେମିତି ମୁଁ ଦେଶ ଛାଡି ପଳାଉଛି ।’’ ସରକାର ଭାଙ୍ଗିବା ପାଇଁ ଏସବୁ ଷଡଯନ୍ତ୍ର କରାଯାଉଥିବା ସୋରେନ ଅଭିଯୋଗ କରିଛନ୍ତି ।