ବେଙ୍ଗାଲୁର: ସହଯୋଗୀଙ୍କ ଚକ୍ରବ୍ୟୁହରେ ଫସିଯିବେ କି ଅପରେସନ ମାଷ୍ଟର ବିଏସ ୟେଦିରୁପ୍ପା । ଚାଲିଯିବ କି ମୁଖ୍ୟମନ୍ତ୍ରୀ ଚୌକି? ଅପରେସନ ଲୋଟସକୁ ସଫଳ କରିଥିବା ୟେଦି ଏବେ ନିଜେ ସେହି ଜାଲରେ ଫସିଯିବେ କି? ବିଜେପିର ଦକ୍ଷିଣ ଭାରତ ରାଜନୀତିର ପ୍ରବେଶ ଦ୍ବାରରେ ଲାଗିବ କି ବଡ ଝଟକା । ୩ ବର୍ଷ ପରେ ପୁଣି ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବ କି କର୍ଣ୍ଣାଟକ । ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଠିବାରେ ଲାଗିଛି ।
ଦଳ ଆମ ପାଇଁ ବଡ...
ଆଉ ଏହି ସବୁ ପ୍ରଶ୍ନ ଭିତରେ ଖୋଦ ୟେଦିରୁପ୍ପା ମଧ୍ୟ ଖୁବଶୀଘ୍ର ଇସ୍ତଫା ଦେଉଥିବା ସଂକେତ ଦେଇଛନ୍ତି । ଆଜି ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇ ୟେଦିରୁପ୍ପା କହିଛନ୍ତି ଆମେ ବିଜେପି କର୍ମୀ । ଦଳ ଆମ ପାଇଁ ବଡ । ଦଳର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଆମର ଦାୟିତ୍ବ । ଦଳ ଯାହା ଦାୟିତ୍ବ ଦେବ ଆମେ ଶୃଙ୍ଖଳାର ସହ ପାଳନ କରିବା ବୋଲି ଆହ୍ବାନ ଦେଇଛନ୍ତି । ଅର୍ଥାତ ୟେଦିରୁପ୍ପାଙ୍କ ଏହି ବୟାନ ଅନେକ କିଛି ସଂକେତ ଦେଉଛି ।
ଭବିଷ୍ୟତ ପୀଢି ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ...
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ଆହୁରି କହିଛନ୍ତି, ଆସନ୍ତା ୨୬ ତାରିଖ ଦିନ ତାଙ୍କ ସରକାରକୁ ୨ ବର୍ଷ ପୂରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହାପରେ ଦଳ ମୁଖ୍ୟ ଯାହା ନିଷ୍ପତି ନେବେ ମୁଁ ପାଳନ କରିବି ବୋଲି ୟେଦିରୁପ୍ପା କହିଛନ୍ତି । ମୋର କାମ ହେଲା ଦଳ ଯାହା ଆଦେଶ ଦେବ ତାହାକୁ ମୁଁ ଅନୁପାଳନ କରିବି । ଆଉ ଦଳକୁ ପୂନର୍ବାର କ୍ଷମତାକୁ ଆଣିବା ମୋର ଦାୟିତ୍ବ ବୋଲି କହିଛନ୍ତି । ଏହାସହ ଭବିଷ୍ୟତ ପୀଢିଙ୍କ ପାଇଁ ମୁଁ ବାଟ ଛାଡିଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।