ରାୟପୁର:ଏବେ ସମଗ୍ର ଦେଶରେ ଲଭ ଜିହାଦ ପ୍ରସଙ୍ଗ ଏକ ଚର୍ଚ୍ଚିତ ଓ ବିତର୍କିତ ପ୍ରସଙ୍ଗ ହୋଇଛି । କିଛି ବିଜେପି ଶାସିତ ରାଜ୍ୟରେ ଲଭ ଜିହାଦ ନିରୋଧୀ ଆଇନ ଆଣିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଲଭ ଜିହାଦ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବିଜେପିର ନେତାମାନଙ୍କ ଝିଅ ମୁସଲମାନ ସମ୍ପ୍ରଦାୟରେ ବିବାହ କଲେ, ତାହା କଣ ଲଭ ଜିହାଦ ନୁହେଁ ବୋଲି ବଘେଲ ପ୍ରଶ୍ନ କରିଛନ୍ତି ।
ବଘେଲ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି,‘‘ନିକଟରେ ବେମେତାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଭାରତୀୟ ଜନତା ପାର୍ଟି ରାଜନୈତିକ ରୋଟି ସେକୁଛି । ବିଜେପିର କାର୍ଯ୍ୟକର୍ତ୍ତା ଏବେ ଲଭ ଜିହାଦ କଥା କହୁଛନ୍ତି । ଯେତେବେଳେ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତାଙ୍କ ଝିଅ ମଧ୍ୟ ମୁସଲମାନ ସମ୍ପ୍ରଦାୟରେ ବିବାହ କରିଥିବା ନଜିର ମଧ୍ୟ ରହିଛି, ତା କ‘ଣ ଲଭ ଜିହାଦ ବୋଲି କୁହାଯିବନି । ସେମାନଙ୍କ ଝିଅ ମୁସଲମାନ ସମ୍ପ୍ରଦାୟରେ ବିବାହ କରିବେ ତ ଲଭ, ଅନ୍ୟ କେହି କଲେ ଜିହାଦ ? ସେମାନେ ସେମାନଙ୍କ ଜ୍ବାଇଁଙ୍କୁ ମନ୍ତ୍ରୀ ତ କେବେ ସାଂସଦ କରିଛନ୍ତି, ହେଲେ ଅନ୍ୟମାନଙ୍କ ପାଇଁ ହିହାଦର କଥା କହୁଛନ୍ତି ।’’