ନୂଆଦିଲ୍ଲୀ:ଆଜି 2023-24 ବର୍ଷ ପାଇଁ ଦିଲ୍ଲୀ ବଜେଟ ଉପସ୍ଥାପନ ହେବାର ଥିଲା । ମାତ୍ର ତାହା ସ୍ଥଗିତ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚିଠିରେ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କ ଉପରେ କାହିଁକି ଖପ୍ପା ହୋଇଛନ୍ତି । କାହିଁକି ଦିଲ୍ଲୀ ବଜେଟ ଉପରେ ରୋକ୍ ଲଗାଇଛନ୍ତି । ଦେଶ ସ୍ବାଧୀନ ହେବାର 75 ବର୍ଷରେ ପ୍ରଥମ ଥର ପାଇଁ ଏ ସବୁ ଘଟୁଛି ବୋଲି କହିଛନ୍ତି କେଜ୍ରିୱାଲ ।
ଚିଠିରେ ଅରବିନ୍ଦ କେଜ୍ରିୱାଲ ଲେଖିଛନ୍ତି, ''ଦୟା କରି ଦିଲ୍ଲୀ ବଜେଟ ଉପରେ ରୋକ୍ ଲଗାନ୍ତୁ ନାହିଁ । ଦିଲ୍ଲୀ ବଜେଟକୁ ପାସ୍ କରନ୍ତୁ । 75ବର୍ଷ ସ୍ବାଧୀନତା ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜ୍ୟରେ ବଜେଟ ଉପରେ ରୋକ୍ ଲାଗିଛି । ଆମ ଦିଲ୍ଲୀବାସୀଙ୍କ ଉପରେ କାହିଁକି ରାଗିଛନ୍ତି । ଦୟାକରି ବଜେଟ ଉପରେ ରୋକ ଲଗାନ୍ତୁ ନାହିଁ । ଦିଲ୍ଲୀବାସୀ ଆପଣଙ୍କୁ ହାଥଯୋଡି ପ୍ରାର୍ଥନା କରୁଛନ୍ତି ଆମ ବଜେଟ ପାସ କରି ଦିଅନ୍ତୁ ।''
ଏହା ବି ପଢନ୍ତୁ...ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା, କହିଲା ଆଦୌ ଗ୍ରହଣୀୟ ନୁହେଁ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ଦିଲ୍ଲୀ ବଜେଟ ଉପରେ ରୋକ ଲଗାଇଯାଇଥିବା ଦାବି କରିଛନ୍ତି କେଜ୍ରିୱାଲ । ଏହା ପ୍ରଥମ ଥର ପାଇଁ ହୋଇଛି । ଦିଲ୍ଲୀ ସରକାରୀ ସୁତ୍ରରୁ ପ୍ରକାଶ ଯେ ଗୃହମନ୍ତ୍ରଣାଳୟ ଅରବିନ୍ଦ କେଜ୍ରିୱାଲଙ୍କ ବଜେଟରେ ରୋକ୍ ଲଗାଇ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ଦିଲ୍ଲୀ ବଜେଟ ଉପସ୍ଥାପିତ ହୋଇପାରିନାହିଁ ।
କେଜ୍ରିୱାଲ କେନ୍ଦ୍ରକୁ ସମାଲୋଚନା କରିବା ପରେ ଜବାବରେ ମନ୍ତ୍ରଣାଳୟ ଆପ ସରକାରଙ୍କୁ ସ୍ପଷ୍ଟୀକରଣ ମାରିଛି । ବଜେଟ ପ୍ରସ୍ତାବରେ ବିଜ୍ଞାପନ ପାଇଁ ଅଧିକ ଆବଣ୍ଟନ ରହିଛି ଏବଂ ଅନ୍ୟାନ ବିକାଶମୂଳକ କାର୍ଯ୍ୟ ପାଇଁ କମ୍ ରହିଛି । ଏହି ସ୍ପଷ୍ଟୀକରଣ ବାବଦରେ କେଜ୍ରିୱାଲ ଏଯାଏଁ ଉତ୍ତର ରଖିନାହାନ୍ତି । ଆପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି । ମୋଟ ବଜେଟ ଅଟକଳ 78,000 କୋଟିରୁ 22,000 ବିକାଶମୂଳକ କାର୍ଯ୍ୟ ପାଇଁ ଥିବା ବେଳେ ବିଜ୍ଞାପନ ପାଇଁ କେବଳ 550 କୋଟି ରହିଥିବା କହିଛନ୍ତି ଦିଲ୍ଲୀ ସରକାର ।
ଦିଲ୍ଲୀ ବିଜେପି କେଜ୍ରିୱାଲ ସରକାରଙ୍କ ବଜେଟକୁ ନେଇ ପ୍ରଶ୍ନ ଉଠାଇଛି । ଦିଲ୍ଲୀ ପ୍ରଦେଶ ବିଜେପି ମୁଖ୍ୟ ହରିଶ ଖୁରାନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ଟାର୍ଗେଟ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ବିଫଳ ହେଉଥିବା କାର୍ଯ୍ୟର ସମସ୍ତ ଦୋଷ ଅନ୍ୟ ମୁଣ୍ଡରେ ଲଦି ଦିଅନ୍ତି । ଏଲଜି ଓ ଗୃହମନ୍ତ୍ରଣାଳୟ କେବଳ ଆପକୁ କିଛି ପ୍ରଶ୍ନର ଉତ୍ତର ମାଗିଛନ୍ତି ମାତ୍ର ଆପ୍ ଏଯାଏ ଉତ୍ତର ଦେଇନାହିଁ । ଜାଣିଶୁଣି ଅଭିଯୋଗ ଲଗାଇବାକୁ ଆପ୍ ଫାଇଲକୁ ଅଟକାଇଥିଲା । ଯଦି ଆଜି ବଜେଟ୍ ଉପସ୍ଥାପନ ହେବାର ଥିଲା ତେବେ ଏହି ଦାୟିତ୍ବ ଏଲଜି କିମ୍ବା ଗୃହ ମନ୍ତ୍ରଣାଳୟର ନୁହେଁ ଅରବିନ୍ଦ କେଜ୍ରିୱାଲଙ୍କର ବୋଲି କହିଛନ୍ତି ହରିଶ ଖୁରାନା ।