ନୂଆଦିଲ୍ଲୀ:ଦେଶରେ ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା । ବର୍ତ୍ତମାନର ଗଣମାଧ୍ୟମ ଦେଶରେ ବିଭିନ୍ନ ପ୍ରସଙ୍ଗରେ ମିଡିଆ ଟ୍ରାଏଲ ଚଳାଇଛି, ଯାହା କଙ୍ଗାରୁକୋର୍ଟ ପରି । ଫଳରେ କୌଣସି ମାମଲାରେ ସଠିକ ଦିଗ ଖୋଜି ବାହାର କରିବା ଅଭିଜ୍ଞ ବିଚାରପତିମାନଙ୍କ ପାଇଁ ମଧ୍ୟ କଷ୍ଟସାଧ୍ୟ ହେବାକୁ ବସିଲାଣି । ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ଭୟଙ୍କର ପରମ୍ପରା ସୃଷ୍ଟି କରୁଛି ବୋଲି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ।
ଆଜି (ଶନିବାର) ରାଞ୍ଚିରେ ‘ନ୍ୟାସନାଲ ୟୁନିଭରସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ ଲ’ କ୍ୟାମ୍ପସରେ ଏକ ସ୍ମାରକୀ ସେମିନାରରେ ଅତିଥି ଭାବେ ଯୋଗଦେଇ ନିଜ ସମ୍ବୋଧନରେ ପ୍ରଧାନ ବିଚାରପତି ଏପରି ଟିପ୍ପଣୀ କରିଥିବା ଦେଖିବାକୁ ମିଳିଛି । କୌଣସି ପ୍ରସଙ୍ଗ ନ୍ୟାୟପାଳିକାରେ ବିଚାର ପ୍ରକ୍ରିୟା ମଧ୍ୟରେ ଥିବା ସତ୍ତ୍ବେ ମଧ୍ୟ ଉଦ୍ଦେଶ୍ୟମୂଳକ ଡିବେଟ କାର୍ଯ୍ୟକ୍ରମ କରୁଛନ୍ତି ବିଭିନ୍ନ ଜାତୀୟ ଗଣମାଧ୍ୟମ । ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ହାନୀକାରକ ପରମ୍ପରା ସୃଷ୍ଟି କରୁଛି । ଗଣତାନ୍ତ୍ରିକ ଦେଶରେ ଗଣମାଧ୍ୟମର ଏପରି ଭୂମିକା ଗଣତନ୍ତ୍ରକୁ ଦୁଇ ପାଦ ପଛକୁ ନେଇଯିବା ପରି ସ୍ଥିତି ସୃଷ୍ଟି କରୁଛି । ମୁଦ୍ରିତ ଗଣମାଧ୍ୟମଗୁଡିକ କିଛି ମାତ୍ରାରେ ଖବର ପ୍ରସାରଣରେ ନୈତିକତା ଅବଲମ୍ବନ କରୁଥିବା ବେଳେ ବୈଦୁତିକ ଗଣମାଧ୍ୟମଗୁଡିକ ସମସ୍ତ ନୈତିକତା ଭୁଲି ଦାୟିତ୍ବହୀନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ଉଦବେଗ ପ୍ରକାଶ କରିଛନ୍ତି ।