ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ଶେଷ ହୋଇଛି । ନୂଆ ମନ୍ତ୍ରୀଙ୍କୁ ବଣ୍ଟନ ହୋଇଛି ମନ୍ତ୍ରଣାଳୟ । ମୋଦି ନିଜ ଟିମର ପୁରା ରୂପରେଖ ପରିବର୍ତ୍ତନ କରିଥିବା ବେଳେ ଦେଶର ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତେବେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ (Civil Aviation Ministry) ମନ୍ତ୍ରଣାଳୟ ମିଳିବା ପରେ ଏବେ ଏକ ବଡ ସଂଯୋଗ ସାମନାକୁ ଆସିଛି ।
ତେବେ ଏହି ସଂଯୋଗ ହେଉଛି ବର୍ତ୍ତମାନ ସିନ୍ଧିଆ ଯେଉଁ ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି, ସେହି ମନ୍ତ୍ରଣାଳୟର ମନ୍ତ୍ରୀ ଦିନେ ସିନ୍ଧିଆଙ୍କ ପିତା ସ୍ବର୍ଗତ ମାଧବ ରାଓ ସିନ୍ଧିଆ(Madhav Rao Scindia) ଥିଲେ । ବର୍ଷ 1991ରେ ପିବି ନରସିଂହ ରାଓଙ୍କ ସରକାରରେ ମାଧବ ରାଓ ସିନ୍ଧିଆ ଥିଲେ ବେସାମରିକ ଚଳାଚଳ ମନ୍ତ୍ରୀ । କିନ୍ତୁ ଏକ ବର୍ଷ ପରେ ଏକ ବିମାନ ଦୁର୍ଘଟଣାର ନୈତିକତା ଦାୟିତ୍ବ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ସେହି ବିମାନ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିଲା ।
ଗତବର୍ଷ ମାର୍ଚ୍ଚ 11ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ପଦ୍ମ ଧରିଥିଲେ । ସେହିଦନି ଠାରୁ ଆକଳନ ଥିଲା ସିନ୍ଧିଆଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ । ବିଜେପିରେ ଯୋଗ ଦେଉ ଦେଉ ସିନ୍ଧିଆଙ୍କୁ ଦଳ ରାଜ୍ୟସଭା ପଠାଇଥିଲା । ତେବେ କରୋନା କଟକଣା ପାଇଁ କ୍ୟାବିନେଟ ସମ୍ପ୍ରସାରଣ ବିଳମ୍ବ ହୋଇଥିଲେ ମଧ୍ୟ ପ୍ରତିଶୃତି ମୁତାବକ ସିନ୍ଧିଆଙ୍କୁ ବିଜେପି ମନ୍ତ୍ରୀ କରିଛି ।