ନୂଆଦିଲ୍ଲୀ:ମିଥ୍ୟା ଖବରକୁ ନେଇ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ଗଣମାଧ୍ୟମ କାହା ଦ୍ବାରା ପ୍ରଭାବିତ ନ ହୋଇ ମୁକ୍ତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ମିଥ୍ୟା କିମ୍ବା ଫେକ ଖବରକୁ ନେଇ ନାଗରିକଙ୍କୁ ଏହା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଏହାସହ ରାଜନୈତିକ ଓ ଆର୍ଥିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟରୁ ଗଣମାଧ୍ୟମକୁ ମୁକ୍ତ ରହିବା ଆବଶ୍ୟକତା ରହିଛି । ଗଣମାଧ୍ୟମରେ ନିରପେକ୍ଷ ଭାବରେ ଖବର ପ୍ରସାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଏକ ଆଇନ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୁପ୍ରିମକୋର୍ଟ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ 'ଗଣମାଧ୍ୟମକୁ ମୁକ୍ତ ଭାବରେ କାର୍ଯ୍ୟ କରିବାର ଆବଶ୍ୟତା ରହିଛି । ଏହା ସହ ସତ୍ୟ ଖବର ପ୍ରକାଶ କରିବା ପାଇଁ ସରକାରଙ୍କ ଉପରେ ଛାଡି ଦିଆଯିବା ଉଚିତ ନୁହେଁ । ସେହିପରି ଦେଶର ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଅର୍ଥନୀତିଜ୍ଞଙ୍କ ପରି ବିଶେଷଜ୍ଞଙ୍କ ମତ ମଧ୍ୟ ସର୍ବଦା ସତ୍ୟ ହୋଇନପାରେ । କାରଣ ସେମାନଙ୍କର କୌଣସି ରାଜନୈତିକ ସମ୍ପର୍କ ନଥାଇପାରେ କିନ୍ତୁ ସେମାନଙ୍କର ଦାବି ଆଦର୍ଶଗତ ହୋଇପାରେ।'
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମସ୍ତ ନୀତି ଆମ ସମାଜର ସତ୍ୟ ଆଧାରରେ ପ୍ରସ୍ତୁତ ବୋଲି ବିବେଚନା କରାଯାଇପାରିବ। ତଥାପି ଏହା କୌଣସି ପ୍ରକାରେ ସିଦ୍ଧାନ୍ତ କରେ ନାହିଁ ଯେ ରାଜନୈତିକ କାରଣରୁ ସରକାର ମିଥ୍ୟା କହିପାରିବେ ନାହିଁ । ମିଥ୍ୟା ଖବର କିମ୍ବା ମିଥ୍ୟା ତଥ୍ୟ ଏକ ନୂଆ ଘଟଣା ନୁହେଁ । ଏହା ପ୍ରିଣ୍ଟ ମିଡିଆର ଅସ୍ତିତ୍ବରୁ ବିଦ୍ୟମାନ ଅଛି କିନ୍ତୁ ଆଧୁନିକ ଜ୍ଞାନକୌଶଳର ଦୃତ ବିକାଶ ଏବଂ ଇଣ୍ଟରନେଟର ବିସ୍ତାର ନିଶ୍ଚିତ ଭାବରେ ଏହି ସମସ୍ୟାକୁ ଅଧିକ ଜଟିଳ କରିଛି। ଗଣତନ୍ତ୍ର ବଞ୍ଚିବା ପାଇଁ ସତ୍ୟର ଶକ୍ତି ଆବଶ୍ୟକ କରେ। ଗୋଟିଏ ଶକ୍ତି ସହିତ ସତ୍ୟ କହିବା ଏକ ଅଧିକାର ତଥା ଗଣତନ୍ତ୍ରର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ।
ଗଣତନ୍ତ୍ର ସତ୍ୟ ସହିତ ଚାଲେ । ସେ ଦାର୍ଶନିକ ହାନାଙ୍କ ଏକ ପଂକ୍ତି ଉଦ୍ଧୃତ କରି କହିଛନ୍ତି ଯେ ଏକଛତ୍ରବାଦୀ ସରକାର ସବୁବେଳେ ପ୍ରଭୁତ୍ବ ବିସ୍ତାର ପାଇଁ ଲଗାତାର ଭାବରେ ମିଥ୍ୟା ଉପରେ ଭରସା କରେ। ଆଧୁନିକ ଗଣତନ୍ତ୍ରରେ ସତ୍ୟର ଗୁରୁତ୍ବପୂ୍ର୍ଣ୍ଣ ଭୂମିକା ରହିଛି ଯାହାକୁ ଆମେ ଆଲୋଚନାରେ ଉପଯୋଗ କରିପାରିବା । କୌଣସି ନିଷ୍ପତ୍ତି ପଛରେ ଯଥେଷ୍ଟ ତର୍କ ରହିବା ଉଚିତ ଏବଂ ମିଥ୍ୟା ଉପରେ ଆଧାରିତ ଯୁକ୍ତି ଯୁକ୍ତ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ