ଅମରାବତୀ:ପାକିସ୍ତାନୀ ମହିଳାଙ୍କ ଦ୍ବାରା ହନିଟ୍ରାପର ଶିକାର ହେଲେ CISF ଯବାନ । ଆନ୍ଧ୍ର ପ୍ରଦେଶ ବିଶାଖା ନଗରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ସିଆଇଏସଫ ଯବାନ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିବା ଜଣାପଡିବା ପରେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସ୍ଥାନୀୟ ପୋଲିସ କମିଶନର ତ୍ରିବିକ୍ରମଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଏହି ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ସିଆଇଏସ୍ଏଫରେ କନଷ୍ଟେବଳ ପାହ୍ୟାରେ କାର୍ଯ୍ୟ କରୁଥିବା ଜଣେ ଯବାନ ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିବା ଜଣାପଡିଛି । ସେମାନେ ପରସ୍ପରକୁ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବା ପରେ କ୍ରମଶଃ ସମ୍ପର୍କ ଅଧିକ ଘନିଷ୍ଠ ହେବାକୁ ଲାଗିଲା । ଏହି ଯବାନ ଜଣଙ୍କ ସମ୍ପୃକ୍ତ ବିଦେଶୀ ମହିଳାଙ୍କୁ ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କିତ ଅନ୍ୟ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏହି ଅଭିଯୋଗ ଆସିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ସିଆଇଏସଏଫକୁ ଜଣାଇବା ସହ ତୁରନ୍ତ ଯବାନଙ୍କୁ ଜେପାଜତକୁ ନେଇଛି । ତାଙ୍କୁ ଜେରା କରାଯାଉ-ଛି । ସେ ବ୍ୟବହାର କରୁଥିବା ମୋବାଇଲ ଓ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଜବତ କରାଯାଇ ଫୋରେନସିକ ଲ୍ୟାବକୁ ପଠାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।