ଚଣ୍ଡିଗଡ଼:ପାକିସ୍ତାନ ଓ ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା କରତାରପୁର ଗୁରୁଦ୍ବାରରୁ ଆସିଛି ଏକ ଅଜବ ଦୃଶ୍ୟ । ଏଠାରେ ପୁଣି ଶିଖ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ପାକିସ୍ତାନ । ଏହି ଗୁରୁଦ୍ବାରରେ ନିଶାଦ୍ରବ୍ୟ ସିଗାରେଟ ଖୋଳରେ ଶ୍ରଦ୍ଧାଳୁଙ୍କୁ ବଣ୍ଟନ ହେଉଛି ପ୍ରସାଦ । ଏହି ଖୋଳର ଗୋଟିଏ ପାର୍ଶ୍ବରେ ଗୁରୁଦ୍ବାରର ଫଟୋ ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ରହିଛି ସିଗାରେଟର ଫଟୋ । ଏହାର ଏକ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଶିଖ ଧର୍ମାବଲମ୍ବୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କରତାରପୁର ସାହିବର ଗୁରୁଦ୍ବାରରେ ପ୍ରସାଦକୁ ଢାଙ୍କିବା ପାଇଁ ଏହି ସିଗାରେଟର ଖୋଳର ବ୍ୟବହାର ହେଉଛି । ଶିଖ ସମୁଦାୟଙ୍କ କହିବା ଅନୁସାରେ ଏଭଳି କାର୍ଯ୍ୟ ଆଦୌ ସହ୍ୟ କରିହେବ ନାହିଁ । ଏପରି କରିବା ଦ୍ବାରା ଏହି ଧର୍ମାବଲମ୍ବୀ ଲୋକଙ୍କ ମନରେ ଆଘାତ ଲାଗିଛି । ଏହି ସିଗାରେଟ ଖୋଳର ଉର୍ଦ୍ଦୁ ଅକ୍ଷରରେ ଲେଖା ଯାଇଛି । ଏହି ଘଟଣାକୁ ନେଇ ବିଜେପି ନେତା ମନଜିନ୍ଦର ସିଂହ ସିର୍ସା କହିଛନ୍ତି ଯେ ପାକିସ୍ତାନରେ ଶିଖଙ୍କ ଭାବାବେଗକୁ ଅନେକ ସମୟରେ ଆଘାତ ପହଞ୍ଚାଯାଉଛି । ପାକିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ ଶିଖଙ୍କୁ ବ୍ୟସ୍ତବିବ୍ରତ କରିବା ପାଇଁ ପାକିସ୍ତାନ ଏପରି କରୁଛି ବୋଲି ସେ କହିଛନ୍ତି ।