ହାଇଦ୍ରାବାଦ: ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ'କୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ଚାରିଆଡ଼େ ଖୁସିର ମାହୋଲ । ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ । ଜୋସେଫ ଓ ମେରିଙ୍କ ପୁଅ ଯୀଶୁଙ୍କୁ ଖ୍ରୀଷ୍ଟ ଧର୍ମରେ ମିଳିଛି ସର୍ବୋଚ୍ଚ ସ୍ଥାନ । ତାଙ୍କଠାରୁ ଆରମ୍ଭ ହୋଇଛି ମସିହା । ଯୀଶୁଙ୍କ ଜନ୍ମଦିବସକୁ ନେଇ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୁଏ ଖ୍ରୀଷ୍ଟମାସ ଡେ' । ଭାରତ ସମେତ ସାରା ବିଶ୍ବରେ ଏହି ଦିନ ସରକାରୀ ଛୁଟି ହୋଇଥାଏ । ତଥ୍ୟ ଅନୁସାରେ ଦୀର୍ଘ ୨ହଜାର ବର୍ଷ ଧରି ପାଳିତ ହୋଇଆସୁଛି ଏହି ପର୍ବ । ଆସନ୍ତୁ ଜାଣିବା ଖ୍ରୀଷ୍ଟମାସ ଡେ' ସହ ଜଡ଼ିତ ଇତିହାସ ଓ ପରମ୍ପରା ।
ଖ୍ରୀଷ୍ଟମାସ ଡେ' ଲାଗି ଚର୍ଚ୍ଚଗୁଡିକୁ ସ୍ବତନ୍ତ୍ର ଭାବେ ସଜାଯାଇଛି । ଏହି ଦିନ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ସେମାନଙ୍କ ପରିବାର ସହିତ ଚର୍ଚ୍ଚରେ ଆୟୋଜିତ ସ୍ବତନ୍ତ୍ର ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରନ୍ତି । ଲୋକେ ସର୍ବସାଧାରଣ ସ୍ଥାନରେ, ବିଭିନ୍ନ କାର୍ଯ୍ୟାଳୟରେ ଏବଂ ସେମାନଙ୍କ ଘରେ ମଧ୍ୟ ଖ୍ରୀଷ୍ଟମାସ ଗଛ ଲଗାନ୍ତି । ଲୋକେ ପରସ୍ପରକୁ ଉପହାର ଦିଅନ୍ତି ଏବଂ ପରସ୍ପର ସହିତ ସୁସ୍ବାଦୁ ଭୋଜନ ଖାଇ ଏହି ଦିନକୁ ଧୁମ୍ଧାମର ସହ ପାଳନ କରନ୍ତି । ସମ୍ପ୍ରତି ଖ୍ରୀଷ୍ଟମାସ ଡେ' ଏକ ବିଶ୍ବବ୍ୟାପୀ ପର୍ବରେ ପରିଣତ ହୋଇଛି । ଏହି ପର୍ବ ଜାତି ଓ ଧର୍ମର ବନ୍ଧନକୁ ଭାଙ୍ଗି ପ୍ରତ୍ୟେକ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଆଦୃତ ହୋଇଛି ।
ଖ୍ରୀଷ୍ଟମାସ ଡେ'ର ଇତିହାସ:- ଖ୍ରୀଷ୍ଟମାସ ଶବ୍ଦଟି ଇଂରାଜୀ ଶବ୍ଦ Cristes Maesse ଶବ୍ଦରୁ ଉତ୍ପନ୍ନ । ଏହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କ ମାସ ଅର୍ଥାତ ଖ୍ରୀଷ୍ଟମାସ । ଇତିହାସ ଅନୁଯାୟୀ ଖ୍ରୀଷ୍ଟମାସ ଖ୍ରୀଷ୍ଟପୂର୍ବ ୩୩୬ ମସିହାରେ ଖ୍ରୀଷ୍ଟିଆନ ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ (ପ୍ରଥମ ରୋମାନ ଖ୍ରୀଷ୍ଟିଆନ ସମ୍ରାଟ କନଷ୍ଟାଣ୍ଟାଇନ)ଙ୍କ ଶାସନ କାଳରୁ ଆରମ୍ଭ ହୋଇଥିଲା । ଖ୍ରୀଷ୍ଟିଆନ କିମ୍ବଦନ୍ତୀ ଅନୁଯାୟୀ, ମାର୍ଚ୍ଚ ୨୫ରେ, ପ୍ରଭୁ ଯୀଶୁଙ୍କ ମଦର ମେରି ଏକ ସ୍ବତନ୍ତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ରୋମାନ ଖ୍ରୀଷ୍ଟିଆନ ଐତିହାସିକ ସେକ୍ସଷ୍ଟସ୍ ଜୁଲିୟସ ଆଫ୍ରିକାନ୍ସ ଅନୁଯାୟୀ ପ୍ରଭୁ ଯୀଶୁ ଏହି ତାରିଖର ଠିକ୍ ୯ ମାସ ପରେ ଅର୍ଥାତ ଡିସେମ୍ବର ୨୫ରେ ଧରାବତରଣ କରିଥିଲେ। ଏହି କାରଣରୁ ୨୫ ଡିସେମ୍ବରକୁ ପ୍ରତିବର୍ଷ ଖ୍ରୀଷ୍ଟମାସ ଡେ' ଭାବରେ ପାଳନ କରାଯାଏ ।
ସାଣ୍ଟା କ୍ଲଜ କିଏ ? :-ସାଣ୍ଟା କ୍ଲଜ ସେଣ୍ଟ ନିକୋଲାସ ନାମକ ଜଣେ ସାଧୁ ଥିଲେ । ଯିଏ ପ୍ରାୟ ୨୮୦ ଖ୍ରୀଷ୍ଟାବ୍ଦରେ ତୁର୍କୀରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟ ନିକୋଲାସ ତାଙ୍କର ସମସ୍ତ ଉତ୍ତରାଧିକାରୀ ସମ୍ପତ୍ତି ଦାନ କରିଥିଲେ । ସେ ରୋଜଗାର ସହିତ ଗ୍ରାମାଞ୍ଚଳରେ ବୁଲି ଗରିବ ଏବଂ ରୋଗୀଙ୍କୁ ସାହାଯ୍ୟ କରୁଥିଲେ । ସେ ଶିଶୁ ଏବଂ ନାବିକମାନଙ୍କର ରକ୍ଷକ ଭାବରେ ଜଣାଶୁଣା । ସେଣ୍ଟ୍ ନିକୋଲାସ ଦିବସ ତାଙ୍କ ସମ୍ମାନାର୍ଥେ ୬ ଡିସେମ୍ବରରେ ପାଳନ କରାଯାଏ ।