ନୂଆଦିଲ୍ଲୀ: G-20 ସମ୍ମିଳନୀରେ ଯୋଗ ଦେବେନି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏନେଇ ଚୀନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଆସନ୍ତା 9 ଏବଂ 10 ତାରିଖରେ ରାଜଧାନୀ ଦିଲ୍ଲୀରେ G-20 ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିନପାରନ୍ତି । ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବାକୁ ମନା କରି ଦେଇଥିଲେ । ହେଲେ ସମ୍ମିଳନୀଙ୍କୁ ସେ ନିଜର ପ୍ରତିନିଧିଙ୍କୁ ଯୋଗ ଦେବା ପାଇଁ ପଠାଇବେ ବୋଲି କହିଛନ୍ତି । ତେବେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗାଇ ଲାଭରୋଭ ଋଷ ତରଫରୁ ଯୋଗ ଦେବେ ବୋଲି ଜଣାପଡିଛି ।
G-20 ଶିଖର ସମ୍ମିଳନୀ ପୂର୍ବରୁ ଋଷ ଏବଂ ଚୀନର ରାଷ୍ଟ୍ରପତି ଭାରତ ଆସିବା ପାଇଁ ମନା କରିଛନ୍ତି । ଯାହାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଋଷର କାର୍ଯ୍ୟକଳାପକୁ ସମର୍ଥନ କରିନଥିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦ (UNSC) ବୈଠକରେ ୟୁକ୍ରେନକୁ ଭାରତ ସମର୍ଥନ କରିବା ସହ ଭର୍ଚୁଆଲ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମର ଜେଲେନ୍ସ୍କିଙ୍କୁ ଯୋଗଦେବା ପାଇଁ ହୋଇଥିବା ଏକ ଭୋଟିଂରେ ଭାରତ ଜେଲେନ୍ସ୍କିଙ୍କୁ ସମର୍ଥନ କରିଥିଲା । ହେଲେ ଋଷ ରାଷ୍ଟ୍ରଦୂତ ଭାସିଲି ଏ ନେବେଞ୍ଜିଆ ଭିଡିଓ କନଫରେନ୍ସିଂରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣକୁ ବିରୋଧ କରିଥିଲେ । କିନ୍ତୁ ଚୀନ ଏହି ସମୟରେ ଭୋଟିଂରୁ ନିଜକୁ ନିବୃତ୍ତ ରଖିଥିଲା ।
ତେବେ ଏହା ଜୋହାନ୍ସବର୍ଗରେ ଆୟୋଜିତ BRICS ବୈଠକରେ ସି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଏଠାରେ ଏଲଏସି( ପ୍ରକୃତ ନିୟନ୍ତ୍ରଣ ରେଖା)ରେ ଉତ୍ତେଜନା ହ୍ରାସ ଓ ଶାନ୍ତି ନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ଉଭୟ ନେତା ସହମତ ହୋଇଥିଲେ ।