ନୂଆଦିଲ୍ଲୀ:ଭାରତକୁ ଫେରିଲେ ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକ । ଆଜି ଚୀନର ପିପୁଲ୍ସ ଲିବରେସନ ଆର୍ମୀ (PLA) ଅପହୃତ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଆଇନ ମନ୍ତ୍ରୀ କିରଣ ରିଜିଜୁ । ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାର ଏକ ପୋଷ୍ଟରେ ଏହି ପ୍ରତ୍ୟାର୍ପଣ ପ୍ରକ୍ରିୟା ପ୍ରୋଟକଲ ଅନୁସାରେ ଶେଷ ହୋଇଛି । ବର୍ତ୍ତମାନ ଉକ୍ତ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରହିଛି । ପ୍ରକ୍ରିୟା ଶେଷ ହେବା ପରେ ପରିବାରକୁ ହସ୍ତାନ୍ତର ହେବା ନେଇ ସୂଚନା ରହିଛି ।
ଚଳିତ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଜିଡୋ ଗାଁର ବାସିନ୍ଦା 19 ବର୍ଷିୟ ମିରାମ ଟାରନ LAC ନିକଟବର୍ତ୍ତୀ ନିଜ କ୍ଷେତରେ କାମ କରୁଥିବା ବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ସେ ଚୀନ ସେନା କବ୍ଜାରେ ଥିବା ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟ-ଲାଇନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ।